ମହାଭାରତ ଅମଳର ରାଜାରାଜୁଡ଼ାଙ୍କ ଦେହାବଶେଷ ପାଇଲା ଆଇଏସ୍‌ଆଇ

ନୂଆଦିଲ୍ଲୀ: ଜୁନ୍‌ ମାସରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବାଗପତର ସୁନାଉଲିରେ ଉତ୍‌ଖନନ ବେଳେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଥିବା ତିନୋଟି କଫିନ୍‌, କଙ୍କାଳର ଅବଶେଷ, ରଥ, ଖଣ୍ଡା ଆଦି ମହାଭାରତ ସହ ଜଡ଼ିତ ଏବଂ ସେ ସବୁକୁ ଲାଲ୍‌ କିଲାରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଓଲଜି କାର୍ଯ୍ୟାଳୟକୁ ଅଣାଯାଇଛି।

ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ ମଧ୍ୟର ପ୍ରାକ୍‌-ଲୌହ ବା କାଂସ୍ୟ ଯୁଗର ଏହି ରାଜକୀୟ ଯୋଦ୍ଧାମାନଙ୍କର ଦେହାବଶେଷଗୁଡ଼ିକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଉଛି।

ପ୍ରତ୍ନତାତ୍ତ୍ୱିକମାନେ ଏସବୁକୁ କୌଣସି ନିର୍ଦ୍ଦିଷ୍ଟ ଜାତି ବା ସଭ୍ୟତା ସହ ଯୋଗ କରି ନାହନ୍ତି। କିନ୍ତୁ, ସାନଉଲି କୌରବମାନଙ୍କର ରାଜଧାନୀ ହସ୍ତିନାପୁର ନିକଟରେ ଥିବାରୁ ଏବଂ ମହାଭାରତ ଦୁଇ ହଜାର ବର୍ଷ ତଳର ବୋଲି ଅନୁମାନ କରାଯାଉଥିବାରୁ ଏସବୁ ମହାଭାରତ ଅମଳର ବୋଲି ଅନୁମାନ କରାଯାଉଛି।

ସାନାଉଲିରେ କିଏ ପୋତା ହୋଇଥିଲେ, କେଉଁମାନେ ରହୁଥିଲେ ଏବଂ ସେମାନେ କେମିତି ମଲେ ସେ କଥା ବୁଝିବାକୁ ପରୀକ୍ଷା ଓ ଅଧ୍ୟୟନ କରାଯାଉଛି।

ଏହି ଆବିଷ୍କାର ଆମ ପ୍ରାଚୀନ ଅତୀତକୁ ଏକ ନୂତନ ରୂପରେଖ ଦେବ ବୋଲି କହନ୍ତି ପ୍ରତ୍ନତାତ୍ତ୍ୱିକ ପ୍ରତିଷ୍ଠାନର ନିର୍ଦେଶକ ସଞ୍ଜୟ ମଞ୍ଜୁଳ। ସେ କହିଛନ୍ତି ଉତ୍‌ଖନନସ୍ଥଳୀରୁ ମିଳିଥିବା ରଥ ଭଳି ରଥ ପୂର୍ବେ ଗ୍ରିସ୍‌ ଓ ମେସୋପଟାମିଆରେ ଦେଖାଯାଉଥିଲା।

ପଳି ଲଗା ଖଣ୍ଡା, ତାମ୍ର-ପତ୍ରିକା ଚିତ୍ର ଥିବା ଚାରିଗୋଡ଼ିଆ ଖଟୁଲି ଭଳି କଫିନ୍‌ ମଧ୍ୟ ପ୍ରଥମ ଥର ମିଳିଛି। ଉତ୍‌ଖନନସ୍ଥଳୀରୁ ଆଠଟି ଶବ ପୋତା ଗର୍ତ୍ତ ଦେଖାଯାଇଛି। ସେଥିରେ ଗୋଟିଏ କୁକୁର ଏବଂ ଗୋଟିଏ ଯମଜ ମାନବଙ୍କର। ଅନ୍ତ୍ୟେଷ୍ଟି ସମୟର ପାତ୍ରରେ ଥିବା ଖାଦ୍ୟ, ପାନିଆ, ଅଇନା ଓ ସୁନାମାଳି ମଧ୍ୟ ମିଳିଛି।

ସିଟି ସ୍କାନ୍‌, ଏକ୍ସ୍‍-ରେ ଉନ୍‌ଫ୍ରା-ରେଡ୍‌ ଫଟୋଗ୍ରାଫି ଜରିଆରେ ଏ ସମସ୍ତ ଜିନିଷର ପରୀକ୍ଷା ନିରୀକ୍ଷା ଚାଲିଛି। ହରପ୍ପା ସଭ୍ୟତା ଏବଂ ଭଗବାନ ବୁଦ୍ଧଙ୍କ ଜନ୍ମ ମଧ୍ୟରେ ଥିବା ଐତିହାସିକ ବ୍ୟବଧାନ ମଧ୍ୟରେ ଗଙ୍ଗା-ଯମୁନା ମଧ୍ୟସ୍ଥ ବସତି ସମ୍ପର୍କରେ ଏହି ଆବିଷ୍କାର ଅନେକ କଥା କହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର