ଏସ୍‌ଆଇଟି ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

କଲବର୍ଗି ହତ୍ୟା ମାମଲା ତଦନ୍ତକାରୀ ସଂସ୍ଥାକୁ ନୋଟିସ ଜାରି

ନୂଆଦିଲ୍ଲୀ: ବିଶିଷ୍ଟ ଲେଖକ ତଥା ହେତୁବାଦୀ ଏମଏମ କଲବର୍ଗିଙ୍କ ପତ୍ନୀ ଆଜି ସ୍ୱାମୀଙ୍କ ହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଲବର୍ଗିଙ୍କ ହତ୍ୟା ମାମଲାରେ ସଠିକ୍‌ ତଦନ୍ତ କରାଯାଇ ନଥିବା ଦର୍ଶାଇ କଲବର୍ଗିଙ୍କ ପତ୍ନୀ ଉମା ଦେବୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିବା ସହ ମାମଲାରେ ଏସଆଇଟି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। କୋର୍ଟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏବଂ ସିବିଆଇ ସହ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରି ୬ ମାସ ମଧ୍ୟରେ ମତାମତ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ ଖାନଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି।

କଲବର୍ଗର୍ିଙ୍କୁ ୨୦୧୫ ମସିହା ଅଗଷ୍ଟ ୩୦ରେ ହତ୍ୟା କରାଯାଇଥିଲା। ୨୦୧୩ ମସିହାରେ ହତ୍ୟା କରାଯାଇଥିବା ଦାଭୋଲକର ଏବଂ ୨୦୧୫ ଫେବୃଆରି ୧୬ରେ ହତ୍ୟାର ଶିକାର ହୋଇଥିବା ପନ୍‌ସାରେଙ୍କ ହତ୍ୟା ଘଟଣାରେ ଏକ ସାଧାରଣ ସଂଯୋଗ ରହିଥିବା ଦାବି ହୋଇଥିଲା। କଲବର୍ଗି, ଦାଭୋଲକର ଏବଂ ପନ୍‌ସାରେଙ୍କ ହତ୍ୟା ସ୍ଥଳରୁ ଉଦ୍ଧାର ହୋଇଥିବା କାଟ୍ରିଜ୍‌ର ଫରେନ୍ସିକ୍‌ ଯାଞ୍ଚ୍‌ରୁ ୩ଟି ଯାକ ହତ୍ୟା ମାମଲାରେ ସଂଯୋଗ ରହିଥିବା ଜଣାଯାଇଛି ବୋଲି ୨୦୧୬ ମସିହାରେ ତତ୍କାଳୀନ କର୍ଣ୍ଣାଟକ ଗୃହମନ୍ତ୍ରୀ ଦାବି କରିଥିଲେ। ପନ୍‌ସାରେଙ୍କ ହତ୍ୟାରେ ଯେଉଁ ଅସ୍ତ୍ର ବ୍ୟବହାର ହୋଇଥିଲା ସେହି ସମାନ ଅସ୍ତ୍ର ମଧ୍ୟ କଲବର୍ଗିଙ୍କ ହତ୍ୟାରେ ବ୍ୟବହାର ହୋଇଥିଲା ବୋଲି ଦର୍ଶାଯାଇ ସିବିଆଇ ଏବଂ ଏନଆଇଏ ସହ ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପୁଲିସର ମିଳିତ ସହଯୋଗରେ ତଦନ୍ତ ହେବ ବୋଲି କୁହାଯାଇଥିଲା। କଲବର୍ଗିଙ୍କ ହତ୍ୟାର ୪ ଦିନପରେ ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍‌ ଜାରି ହୋଇଥିଲେ ମଧ୍ୟ ଏଯାବତ୍‌ ତଦନ୍ତରେ ଅଗ୍ରଗତି ହୋଇନି ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର