ଗୌହାଟୀ : ଆସାମରେ ବାସ କରୁଥିବା ପାଖାପାଖି ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୪୦ ଲକ୍ଷ ଲୋକଙ୍କର ଭାରତୀୟ ନାଗରିକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଆସାମ ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍ଆର୍ସି)ର ଚୂଡ଼ାନ୍ତ ଚିଠା ତାଲିକାରୁ ଏମାନଙ୍କୁ ବାଦ୍ ଦିଆଯାଇଛି। ଏହି ରିପୋର୍ଟକୁ ନେଇ ଆସାମଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ସରକାର ପକ୍ଷପାତିତା କରି ଏଭଳି ରିପୋର୍ଟ ପ୍ରକାଶ କରିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ଚୂଡାନ୍ତ ରିପୋର୍ଟ ନୁହେଁ। ଏହାକୁ ନେଇ କେହି ଆତଙ୍କିତ ହେବାର କାରଣ ନାହିଁ। ପ୍ରମାଣପତ୍ର ସହ ସେମାନେ ସେପଟେମ୍ବର ୨୮ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଚୂଡାନ୍ତ ରିପୋର୍ଟ ୩୧ ଡିସେମ୍ବରରେ ପ୍ରକାଶ ପାଇବ। ତେଣୁ ଏହାକୁ ନେଇ ଅଯଥାରେ ରାଜନୀତି ନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସାମ ସରକାର ୧୯୫୧ ପରଠାରୁ ପ୍ରଥମଥର ପାଇଁ ଏନ୍ଆର୍ସି ସଂଶୋଧନ ନିମନ୍ତେ ପଦକ୍ଷେପ ନେଇଥିଲେ। ଏଥିପାଇଁ ରାଜ୍ୟରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିଲା। ରାଜ୍ୟବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣ ଦେବା ଲାଗି ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନଗୁଡ଼ିକର ଯାଞ୍ଚ ପରେ ସରକାର ଆଜି ଚିଠା ରିପୋର୍ଟ ପ୍ରକାଶ କରିଛନ୍ତି। ତେବେ ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନେ ନାଗରିକତ୍ୱ ପାଇଁ ପୁଣି ଦାବି କରିପାରିବେ ଏବଂ ଚିଠା ତାଲିକା ଉପରେ ମଧ୍ୟ ଆପତ୍ତି ଉଠାଇ ପାରିବେ। ଏଥିନିମନ୍ତେ ଚଳିତବର୍ଷ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯେଉଁ ୪୦ ଲକ୍ଷ ଲୋକ ତାଲିକାରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କୁ କୌଣସି ପ୍ରକାର ଭୟ କରିବାର ନାହିଁ। ସେମାନଙ୍କୁ ଗିରଫ କିମ୍ବା ପ୍ରତ୍ୟର୍ପଣ ଲାଗି ସରକାର ଯୋଜନା କରୁନାହାନ୍ତି। ଏହା କେବଳ ଏକ ଚିଠା ରିପୋର୍ଟ। ସମସ୍ତଙ୍କ ଦାବି ଓ ଆପତ୍ତିକୁ ବିଚାର କରିବା ପରେ ଚୂଡ଼ାନ୍ତ ରିପୋର୍ଟ ଡିସେମ୍ବର ୩୧ ତାରିଖରେ ପ୍ରକାଶ ପାଇବ।
ଆସାମର ଏହି ଏନ୍ଆର୍ସି ଚିଠା ତାଲିକା ଯୋଗୁ ହିଂସାକାଣ୍ଡର ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟରେ ସହସ୍ରାଧିକ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ସୋସିଆଲ ମିଡିଆରେ କୌଣସି ବିଦ୍ୱେଷାତ୍ମକ ବାର୍ତ୍ତା ଆଦାନପ୍ରଦାନ ଉପରେ କଟକଣା ଲଗାଯାଇଛି ଏବଂ ଏଥିପାଇଁ ନିରାପତ୍ତା ବାହିନୀ ୨୪ ଘଣ୍ଟା ନଜର ରଖିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏନ୍ଆର୍ସି ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନେ ଗିରଫ ଭୟରେ ପଡ଼ୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡକୁ ଚାଲିଯିବାର ଆଶଙ୍କା ଥିବାରୁ ସୀମାଗୁଡ଼ିକୁ ସିଲ୍ କରିଦିଆଯାଇଛି ଏବଂ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଅପରପକ୍ଷରେ ରିପୋର୍ଟକୁ ନେଇ ସଂସଦରେ ଆଜି ଝଡ଼ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ପକ୍ଷରୁ ହେଉଥିବା ସମାଲୋଚନାକୁ ଖଣ୍ଡନ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୌଣସି ପକ୍ଷପାତିତା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇ ନାହିଁ। କିଛି ଲୋକ ଦେଶରେ ଅଯଥା ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ତା’ଛଡ଼ା ଏହା ଚୂଡ଼ାନ୍ତ ତାଲିକା ନୁହେଁ। ତେଣୁ ଯେଉଁମାନେ ବାଦ୍ ପଡ଼ିଛନ୍ତି, ସେମାନେ ପୁଣି ଅଭିଯୋଗ କରିପାରିବେ। ସେମାନଙ୍କୁ ବିଦେଶୀ ବୋଲି ବି ଘୋଷଣା କରାଯାଇ ନାହିଁ। ଏଥିପାଇଁ ପୁଣି ସେମାନେ ଆବେଦନ କରିପାରିବେ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋଓ୍ଵାଲ କହିଛନ୍ତି, କୌଣସି ଲୋକଙ୍କୁ ଶରଣାର୍ଥୀୀ ଗୃହକୁ ପଠାଯିବ ନାହିଁ। ତେଣୁ ଏ ନେଇ ପ୍ରକାଶ ପାଉଥିବା ଗୁଜବକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ରିପୋର୍ଟକୁ ନେଇ କୌଣସି ବିଦ୍ୱେଷାତ୍ମକ ମନ୍ତବ୍ୟ ନଦେବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି।