କ୍ୟାନସର ଭୟ: ଆନ୍ଧ୍ରପ୍ରଦେଶ ମାଛ ବିକ୍ରିି ଉପରେ ରୋକ ଲଗାଇଲେ ଆସାମ ସରକାର

ଗୌହାଟି: ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ତାଜା ରଖିବା ପାଇଁ ଦିଆଯାଉଛି ଫର୍ମାଲିନ। ଆଉ ଏହି ଫାର୍ମାଲିନ ଘାତକ କ୍ୟାନ୍‌ସର ରୋଗ ସୃଷ୍ଟି କରିଥାଏ। ଏହାକୁ ଆଖିଆଗରେ ରଖି ଗତକାଲି (ବୁଧବାର)ଆସାମ ସରକାର ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସମଗ୍ର ଆସାମରେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ମାଛ ଆମଦାନୀ ଓ ଏହି ମାଛ ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି।

ଏ ସମ୍ପର୍କରେ ସୂଚନାଦେଇ ଆସାମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ ହଜାରିକା କହିଛନ୍ତି ଯେ ଗତ ୨୯ ତାରିଖ ଦିନ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆସାମକୁ ଆସିଥିବା ମାଛର ନମୂନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ପାଇଁ ଲାବୋରୋଟୋରିକୁ ପଠାଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ମିଳିଛି। ରିପୋର୍ଟରେ ମାଛକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ଫର୍ମାଲିନ୍‌ ବ୍ୟବହାର କରାଯାଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆଗାମୀ ୧୦ ଦିନ ପାଇଁ ଆସାମରେ ଅନ୍ୟ ରାଜ୍ୟ ବିଶେଷ କରି ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଆମଦାନୀ ଓ ବିକ୍ରି ଉପରେ ରୋକ ଲଗାଯାଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସରକାରୀ ଆଇନକୁ ଅବମାନନା କରି ଫର୍ମାଲିନ ଦିଆଯାଇଥିବା ମାଛ ବିକ୍ରି କରିବେ ସେମାନଙ୍କୁ ୨ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହଜାରିକା କହିଛନ୍ତି।

ତେବେ ଯେତେବେଳେ ଆସାମ ସରକାର ଆମଦାନୀ କରୁଥିବା ସଂସ୍ଥାମାନଙ୍କ ଠାରୁ ପ୍ରତିଶ୍ରୁତି ପାଇବେ ଯେ ଆସାମକୁ ଆସୁଥିବା ମାଛରେ ଫର୍ମାଲିନ ବ୍ୟବହାର ହୋଇ ନାହିଁ, ସେତେବେଳେ କେବଳ ଅନ୍ୟ ରାଜ୍ୟ ମାଛ ଆସାମରେ ବିକ୍ରି ପାଇଁ ଅନୁମତି ମିଳିବ। ଅନ୍ୟ ରାଜ୍ୟର ମାଛକୁ ନେଇ ପୁଣି ଥରେ ବିଜ୍ଞାନଗାରରେ ପରୀକ୍ଷା କରି ଏଥିରେ ଫର୍ମାଲିନ ମିଶିନ ଥିବା ସ୍ପଷ୍ଟ ହେଲେ ହିଁ ଏହି ମାଛ ବିକ୍ରି ପାଇଁ ଅନୁମତି ମିଳିବବୋଲି ଶ୍ରୀ ହଜାରିକା କହିଛନ୍ତି।

ସମ୍ବନ୍ଧିତ ଖବର