ଏନ୍‌ଆରସି ବିରୋଧରେ ୧୨ ଘଣ୍ଟିଆ ଆସାମ ବନ୍ଦ

ଗୌହାଟୀ : ଆସାମରେ ଚୂଡ଼‌ାନ୍ତ ଏନ୍‌ଆରସି ତାଲିକା ଗତ ଅଗଷ୍ଟ ୩୧ ତାରିଖ‌ରେ ପ୍ରକାଶ ପାଇଥିଲା। ଚୂଡ଼ାନ୍ତ ତାଲିକାରୁ ୧୯ଲକ୍ଷରୁ ଅଧିକ ଆବେଦନକାରୀ ବାଦ୍‌ ପଡ଼ିଛନ୍ତି। ତେବେ ଏହି ତାଲିକାକୁ ତ୍ରୁଟିପୂର୍ଣ୍ଣ ବୋଲି କହି ଆସାମର ଏକ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଏକେଆରଏସ୍‌ୟୁ (ଅଲ୍‌ କୋଚ୍‌ ରା‌ଜଭୋଙ୍ଗ୍‌ସି ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌) ପକ୍ଷରୁ ଆଜି ଦାବି କରାଯାଇଛି ଯେ ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ତୁରନ୍ତ ଏହି ତାଲିକାରେ ସାମିଲ କରାଯାଉ। ଉଲ୍ଲେଖଯୋଗ୍ୟ ଚୂଡ଼ାନ୍ତ ଏନ୍‌ଆରସି ତାଲିକା ପ୍ରକାଶ ନେଇ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ରାଜ୍ୟରେ ଆଗୁଆ ପଦକ୍ଷେପ ଗ୍ରହଣ ସ୍ବରୂପ ୧୦,୦୦୦ ସୈନ୍ୟ ମୁତୟନ ହୋଇଥିଲେ। ତେବେ ଏନ୍‌ଆରସି ତାଲିକା ପ୍ରକାଶ ପରେ ସ୍ଥିତି ସ୍ବାଭାବିକ ଥିବା ଅତିରିକ୍ତ ସୈନ୍ୟଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା ଏନ୍‌ଆରସି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାପରେ ଏହାକୁ ବିରୋଧ କରି ପ୍ରଥମ ଆନ୍ଦୋଳନ ଏବଂ ବନ୍ଦ ପାଳନ ହୋଇଛି। ଆନ୍ଦୋଳନକାରୀମାନେ ଏନ୍‌ଆରସି ସଂଯୋଜକ ପ୍ରତୀକ୍‌ ହାଜେଲାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସମ୍ବନ୍ଧିତ ଖବର