ଗୌହ୍ଵାଟି: ସାଧାରଣ ଭାବେ ଭାରତୀୟ ବଜାରରେ ଚା କିଲୋପ୍ରତି ୩୦୦ ରୁ ୫୦୦ ଟଙ୍କା ହୋଇଥିବା ବେଳେ ଆସାମ୍ରେ ଏକ ଚା ବଗିଚା କିଲୋପ୍ରତି ୩୯,୦୦୧ ଟଙ୍କା ଦରରେ ଚା ବିକ୍ରି କରି ବିଶ୍ୱ ରେକର୍ଡ କରିଛି। ପୃଥିବୀର ସର୍ବୋତ୍ତମ କ୍ୱାଲିଟିର ଚା’ ଚାଷ ଓ ଉତ୍ପାଦନ ଲାଗି ପ୍ରସିଦ୍ଧ ଆସାମ ଲାଗି ଏହା ଗର୍ବ ଓ ଗୌରବର ବିଷୟ ବୋଲି ଗୌହ୍ଵାଟି ଚା’ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।
ଗୌହ୍ଵାଟି ଚା’ ନିଲାମ କେତ୍ରା ସଂଘର ସଂପାଦକ ଦିନେଶ ବିବାନିଙ୍କ କହିବା ଅନୁଯାୟୀ ଅତୀତରେ ପୃଥିବୀର କେଉଁ ଦେଶରେ ବି ଏତେ ଉଚ୍ଚ ଦରରେ ଚା’ ବିକ୍ରି ହୋଇ ନଥିଲା। ଆମ ଏଠାକାର ସର୍ବୋତ୍ତମ ମାନର ଚା’ କିଲୋପ୍ରତି ୩୯,୦୦୧ ଟଙ୍କାରେ ବିକ୍ରି ହେବା ନିଶ୍ଚିତ ଭାବେ ଗୌରବର ବିଷୟ। ଏହା ଉନ୍ନତମାନର ଚା’ ଉତ୍ପାଦନ କରୁଥିବା ବଗିଚାମାନଙ୍କୁ ପ୍ରୋତ୍ସାହିତ କରିବ।
ଏହି ସର୍ବୋତ୍କଷ୍ଟମାନର ଚା’ର ନାମ ରହିଛି ‘ମନୋହରି ଗୋଲ୍ଡ ଟି’। ଏହି ଚା’ ଅତ୍ୟନ୍ତ ଯତ୍ନଶୀଳ ଭାବେ ମନୋହର ଟି ଇଷ୍ଟେଟ୍ ଦ୍ୱାରା ଉତ୍ପନ୍ନ କରାଯାଇଥିଲା। ମନୋହର ଟି ଇଷ୍ଟେଟ୍ର ମାଲିକ ରାଜନ ଲୋହିଆଙ୍କ କହିବା ଅନୁଯାୟୀ, ଏହି ଚା ଗଛ ସ୍ୱତନ୍ତ୍ର ଭାବେ ଲଗା ଯାଇଥିଲା। ଖୁବ୍ ଯତ୍ନ ସହକାରେ ଏହାର ପ୍ରତିଟି କଢୀକୁ ସଂଗ୍ରହ କରାଯାଇଥିଲା। ଏହି ଚା’ ଦେଖିବାକୁ ୨୪ କ୍ୟାରେଟ୍ ସୁନାର କ୍ରିଷ୍ଟାଲ୍ ଭଳି ଆକର୍ଷଣୀୟ।’
ମନୋହରୀ ଗୋଲ୍ଡ ଚା ବର୍ତ୍ତମାନ ସମଗ୍ର ପୃଥିବୀର ଚା ଶିଳ୍ପର ଦୃଷ୍ଟି ଆକର୍ଷଣ କରିଛି। ଆସାମ୍ ଚା ତା’ର ଅତୀତର ଗୌରବକୁ ପୁଣି ଫେରିପାଇବ ବୋଲି ଲୋହିଆ ଆଶା ପ୍ରକାଶ କରିଛନ୍ତି।
ସୌରଭ ଟି ଟ୍ରେଡର୍ସର ମାଲିକ ଏମ୍ ଏଲ୍ ମାହେଶ୍ୱରୀ କହନ୍ତି: ଆମ ଗ୍ରାହକମାନେ ସର୍ବଦା ସର୍ବୋତ୍ତମ ମାନର ଚା ଖୋଜୁଛନ୍ତି। ପୂର୍ବରୁ ଆମେ କିଲୋ ପିଛା ୧୮, ୮୦୧/- ମୂଲ୍ୟରେ ଡୋନିୟି ପ୍ଲୋ ଟି ଇଷ୍ଟେଟ୍ ସ୍ପେସାଲିଟିରୁ କିଣିଥିଲୁ।
ଗତ ମାସରେ ଗୌହାଟି ସେଣ୍ଟର୍ କିଲୋ ପିଛା ୫୧୧/- ଟଙ୍କା ଦରରେ ହଲମାରି ସିଟିସି ଚା କିଣି ରେକର୍ଡ କରିଥିଲା।