୪ ବର୍ଷ ତଳେ ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକ, ବାଂଲାଦେଶରେ ଜୀବିତ ଅବସ୍ଥାରେ ରୁପାଲି!  ଘରକୁ ଫେରେଇ ଆଣିବାକୁ ଚାହାନ୍ତି ବଡ଼ ଭାଇ

ନୂଆଦିଲ୍ଲୀ: ଆସାମର ଜଣେ ମହିଳାଙ୍କର ୪ ବର୍ଷ ତଳେ ମୃତ୍ୟୁ ଘଟିଛି ବୋଲି ଚିନ୍ତା କରି ପରିବାର ଲୋକେ ଶୁଦ୍ଧିକ୍ରିୟା ସାରି ଦେଇଥିବା ବେଳେ ଏବେ ସେହି ମହିଳା ଜଣକ ବାଂଲାଦେଶରେ ମିଳିଛନ୍ତି। ୪୧ ବର୍ଷୀୟା ମହିଳା ରୁପାଲି ବାଇଲୁଙ୍ଗଙ୍କ ଏକ ଫଟୋ ଆସାମର ଏକ ଟିଭି ଚ୍ୟାନେଲରେ ପ୍ରସାରଣ ହେବା ପରେ ପରିବାର ଲୋକେ ତାଙ୍କୁ ଚିହ୍ନିବାରେ ସମର୍ଥ ହୋଇଥିଲେ। ନିକଟ ଅତୀତରେ ବାଂଲାଦେଶର ଫେସ୍‌ବୁକ୍‌ ବ୍ୟବହାରକାରୀ କିଶନ ଭୁମିଜ ତାଙ୍କ ଆକାଉଣ୍ଟରେ ରୁପାଲିଙ୍କ ଫଟୋ ଓ ଭିଡିଓ ସେୟାର୍‌ କରିଥିଲେ।

ମାନସିକ ସ୍ତରରେ ଠିକ୍‌ ନଥିବା ଏହି ଆସାମୀ ମହିଳା କିପରି ବାଂଲାଦେଶରେ ପହଞ୍ଚିଲେ ତାହା କେହି ଜାଣନ୍ତି ନାହିଁ। ରୁପାଲି ୨୦୧୫ ମସିହା ମେ ମାସରେ ନିଖୋଜ ହୋଇ ଯାଇଥିଲେ। ସେ ଅରୁଣାଚଳ ପ୍ରଦେଶ ସୀମାନ୍ତ ଆସାମର ଧିମାଜି ଜିଲ୍ଲାରେ ଥିବା ତାଙ୍କ ନିଜ ଗାଁ ପାଖ ଆଉ ଏକ ଗାଁକୁ ବିହୁ ଉତ୍ସବ ଦେଖିବାକୁ ଯାଇଥିଲେ ଓ ସେଠାରୁ ଆଉ ଫେରିନଥିଲେ।

ପରିବାର ଲୋକଙ୍କ କହିବା ମୁତାବକ, ତାଙ୍କର ମାନସିକ ସନ୍ତୁଳନ ଠିକ୍‌ ନଥିଲେ ବି ସେ ସବୁବେଳେ ଉଚିତ ସମୟରେ ଘରକୁ ଫେରିଆସନ୍ତି। ସେ ଦିନ ଆଉ ଘରକୁ ଫେରିନଥିବା ହେତୁ ସେମାନେ ପୁଲିସରେ ରିପୋର୍ଟ ଲେଖାଇଥିଲେ। କିଛି ଦିନ ପରେ ଗାଁ ଲୋକ ସ୍ଥାନୀୟ ନଦୀରୁ ଆଉ ଜଣେ ମହିଳାଙ୍କ ପଚା ମୃତ ଦେହ ଉଦ୍ଧାର କରିବାରୁ ସେହି ମୃତଦେହ ରୁପାଲିଙ୍କର ବୋଲି ପରିବାର ଲୋକ ଭାବି ଦେଇଥିଲେ।

www.smithsonianmag.com

ତେବେ, ରୁପାଲିଙ୍କର ଜାରି ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଏବେ ବି ଆସାମରେ ଅଛନ୍ତି ବୋଲି ଭାବୁଛନ୍ତି। ସେ ବାଂଲଦେଶ ଯାଇନାହାନ୍ତି, ଭାରତରେ ଅଛନ୍ତି ବୋଲି ବାରମ୍ବାର କହି ଚାଲିଛନ୍ତି। ରୁପାଲିଙ୍କ ବଡ଼ ଭାଇଙ୍କ କହିବା ମୁତାବକ ଯୁକ୍ତ ଦୁଇ ପଢ଼ି ସାରିବା ପରେ ରୁପାଲିଙ୍କର ମାନସିକ ରୋଗ ବାହାରିଥିଲା। ସେ ତାଙ୍କ ଭଉଣୀକୁ ଏବେ ଘରକୁ ଫେରେଇ ଆଣିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର