ମିସେଲଙ୍କୁ ଧମକ ଦେଇଥିଲେ ଅସ୍ଥାନା

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଧ୍ୟସ୍ଥି କ୍ରିଷ୍ଟିଆନ୍‌ ମିସେଲ୍‌ ଆଜି ପୂର୍ବତନ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଜି ଜେଲ୍‌ ଭିତରେ ତାଙ୍କ ଜୀବନକୁ ବରବାଦ କରିଦେବେ ବୋଲି ଅସ୍ଥାନା ଧମକ ଦେଇଥିବା କଥା ମିସେଲ୍ ଦିଲ୍ଲୀ କୋର୍ଟରେ ନିଜର ଦାବି ଉପସ୍ଥାପନ କରି କହିଛନ୍ତି। କିଛି ମାସ ତଳେ ଅସ୍ଥାନା ତାଙ୍କୁ ଦୁବାଇରେ ସାକ୍ଷାତ କରିଥିଲେ ଏବଂ ଏହି ସାକ୍ଷାତ ସମୟରେ ସେ ମିସେଲ୍‌ଙ୍କୁ କଡ଼ା ନିର୍ଦ୍ଦେଶ କରିଥିଲେ। ସେ ସିବିଆଇ କଥା ନମାନିଲେ ଜେଲ୍‌ ମଧ୍ୟରେ ତାଙ୍କ ଜୀବନ ନର୍କ ତୁଲ୍ୟ ହୋଇଯିବ ବୋଲି ଅସ୍ଥାନା କୁଆଡ଼େ ଚେତାବନୀ ଶୁଣାଇଥିଲେ। ଅସ୍ଥାନାଙ୍କ ସେହି ଧମକ ଅନୁସାରେ ଜେଲରେ ସେ ଅନୁରୂପ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ମିସେଲ ଅଭିଯୋଗ ଆଣିଛନ୍ତି। ଜେଲ୍‌ରେ ମିସେଲ୍‌ ରହୁଥିବା ପ୍ରକୋଷ୍ଠ ନିକଟରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ରହୁଥିବାରୁ ମିସେଲ୍‌ ଏଥିରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କର ଅପରାଧ କ’ଣ ଏବଂ କାହିଁକି ତାଙ୍କୁ ଜଣେ ହତ୍ୟାକାରୀ ନିକଟରେ ରଖାଯାଇଛି ବୋଲି ମିସେଲ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରାୟ ୧୬-୧୭ ଜଣ କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ୁଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ, ଆଜି ମିସେଲ୍‌ଙ୍କୁ ଇଡି ୨ ଦିନ ଜେରା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର