ବିଶ୍ବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧୭.୫ ନିୟୁତ

ନୂଆଦିଲ୍ଲୀ : ସାରା ବିଶ୍ବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧୭.୫ ନିୟୁତ। ୨୦୧୯ ମସିହାରେ ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ । ଜାତିସଂଘର ଡିଇଏସ୍‌ଏ (ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗ)ର ଜନସଂଖ୍ୟା ବିଭାଗ ଦ୍ବାରା ପ୍ରକାଶ ପାଇଥିବା ଏକ ରିପୋର୍ଟ ‘ଇଣ୍ଟରନ୍ୟାସନାଲ୍‌ ମାଇଗ୍ରାଣ୍ଟ ଷ୍ଟକ୍‌ ୨୦୧୯’ରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ଭାରତରୁ ସମୁଦାୟ ୧୭.୫ ନିୟୁତ ପ୍ରବାସୀ ବିଶ୍ବର ବିଭିନ୍ନ ସ୍ଥାନ‌ରେ ରହୁଛନ୍ତି। ସାରା ବିଶ୍ବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ମେକ୍ସିକୋରୁ ୧୧.୮ ନିୟୁତ ପ୍ରବାସୀଙ୍କ ସହ ସାରା ବିଶ୍ବରେ ଏହା ଦ୍ବିତୀୟରେ ରହିଛି ଏବଂ ଚୀନ୍‌ ୧୦.୭ ନିୟୁତ ପ୍ରବାସୀଙ୍କ ସହ ତୃତୀୟରେ ରହିଛି। ସେହିପରି ରୁଷ୍‌ରୁ ୧୦.୫ ନିୟୁତ, ସିରିଆରୁ ୮.୨ ନିୟୁତ, ବାଂଲାଦେଶରୁ ୭.୮ ନିୟୁତ, ପାକିସ୍ତାନରୁ ୬.୩ ନିୟୁତ, ୟୁକ୍ରେନ୍‌ରୁ ୫.୯ ନିୟୁତ, ଫିଲିପାଇନ୍ସରୁ ୫.୪ ନିୟୁତ ଏବଂ ଆଫଗାନିସ୍ତାନରୁ ୫.୧ ନିୟୁତ ପ୍ରବାସୀ ରହିଛନ୍ତି। ବୈଶ୍ବିକ ସ୍ତରରେ ପ୍ରବା‌ସୀଙ୍କ ସଂଖ୍ୟା ଏବେ ୨୭୨ ନିୟୁତରେ ପହଞ୍ଚିଥିବା ବେଳେ ଭାରତରେ ୫.୧ ନିୟୁତ ରହିଛନ୍ତି। ତେବେ ୨୦୧୫ ମସିହାରେ ଭାରତରେ ଏହା ୫.୨ ନିୟୁତ ଥିଲା। ଭାରତରେ ବାଂଲାଦେଶ, ପାକିସ୍ତାନ ଏବଂ ନେପାଳରୁ ଆସିଥିବା ଅଧିକ ପ୍ରବାସୀ ରହିଛନ୍ତି।

୨୦୧୯ରେ ଆଞ୍ଚଳିକ ଭାବେ ୟୁରୋପ୍‌ରେ ସବୁଠୁ ଅଧିକ ଅନ୍ତର୍ଜାତୀୟ ପ୍ରବାସୀ (୮୨ ନିୟୁତ) ରହିଛନ୍ତି। ଏହା ପଛକୁ ଉତ୍ତର ଆମେରିକାରେ ୫୯ ନିୟୁତ ଏବଂ ଉତ୍ତର ଆଫ୍ରିକା ଓ ପଶ୍ଚିମ ଏସିଆରେ ୪୯ ନିୟୁତ ପ୍ରବାସୀ ରହିଛନ୍ତି। ଆମେରିକାରେ ସବୁଠାରୁ ଅଧିକ ୫୧ ନିୟୁତ ଅନ୍ତର୍ଜାତୀୟ ପ୍ରବାସୀ ରହୁଛନ୍ତି।

ସମ୍ବନ୍ଧିତ ଖବର