ହିମାଚଳ ପ୍ରଦେଶରେ ରେକର୍ଡ ସଂଖ୍ୟକ ଭୋଟ୍‌ ଦାନ

ଶିମଳା: ଏଥର ହିମାଚଳ ପ୍ରଦେଶରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ପାର୍ବତ୍ୟ ରାଜ୍ୟରେ ୭୪%ରୁ ଅଧିକ ସଂଖ୍ୟକ ନାଗରିକ ଭୋଟ ଦେଇଥିଲେ ଏବଂ ତାହା ୭୫% ଟପି ଯାଇଥିବ ବୋଲି ନିର୍ବାଚନ କମିସନ ଅଧିକାରୀମାନେ ଆଶା କରିଛନ୍ତି। ଗତକାଲି ବିଳମ୍ବିତ ସନ୍ଧ୍ୟା ଯାଏଁ ପ୍ରାୟ ୪୩୫ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭୋଟ୍‌ ଦାନ ଚାଲିଥିଲା।

୨୦୦୩ ମସିହାରେ ରାଜ୍ୟର ମତଦାନ ହାର ଥିଲା ୭୪. ୫୧%। ଥଣ୍ଡା ପଡ଼ିଥିବା ଯୋଗୁଁ ୬୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ବେଗ ଅତି ମନ୍ଥର ଥିଲା, କିନ୍ତୁ ଦିନ ଶେଷ ଭାଗ ଆଡ଼କୁ ତାହା ବୃଦ୍ଧି ପାଇଥିଲା। ଜନଜାତି ଜିଲ୍ଲା ଲାହୌଲ୍‌-ସ୍ପିଟିର ଦୂରନ୍ତ ସ୍ପିଟି ସବ୍‌ଡିଭିଜନ୍‌ର କି’ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ୧୦୦% ଭୋଟ୍‌ ଦାନ ରେକର୍ଡ କରାଯାଇଛି। ବହୁ ସଂଖ୍ୟକ ମହିଳାମାନେ ଭୋଟ୍‌ ଦେବାରେ ଆଗ୍ରହ ପ୍ରକାଶ କରୁଥିବା ଏହି ଜିଲ୍ଲାରେ ହାରାହାରି ଭୋଟ୍‌ ଦାନ ୮୦. ୪୩% ରହିଥିବା ଜଣାପଡ଼ିଛି।

ସିର୍‌ମୌରରେ ସର୍ବାଧିକ ୮୨% ଭୋଟ୍‌ ଦାନ ହୋଇଥିବାବେଳେ ୬୯. ୫% ଭୋଟ୍‌ ଗ୍ରହଣ କରାଯାଇ ହାମିର୍‌ପୁର ରହିଛି ସର୍ବନିମ୍ନ ସ୍ଥାନରେ। କୌତୂହଳର କଥା, ଉଭୟ ବିଜେପି ଏବଂ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ- ପି କେ ଧୁମାଲ ଏବଂ ବୀରଭଦ୍ର ସିଂହ- ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଲଢୁ ନ ଥିବା କାରଣରୁ ମତଦାନରୁ ବଞ୍ଚିତ ହୋଇଛନ୍ତି।

ସ୍ୱାଧୀନ ଭାରତର ପ୍ରଥମ ଭୋଟର୍‌ ଶତଂଜୀବ ଶ୍ୟାମ ସରଣ ନେଗି ଗୁରୁବାର ଦିନ ଆଉ ଥରେ ଭୋଟ୍‌ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କ ପାଇଁ ଭବ୍ୟ ସ୍ୱାଗତର ବ୍ୟବସ୍ଥା କରାଇ ଏକ ଗାଡ଼ି ଯୋଗାଇ ଦେଇଥିଲେ।

ନିଜ ଆଦିବାସରୁ ନିର୍ବାସିତ ହୋଇ ଧର୍ମଶାଳାରେ ବସବାସ କରୁଥିବା ତିବ୍ଦତୀୟମାନେ ଗୁରୁବାର ଦିନ ଭାରତୀୟ ଗଣତନ୍ତ୍ରରେ ଦ୍ୱିତୀୟ ଥର ପାଇଁ ଭୋଟ୍‌ ଦେବାର ସୁଯୋଗ ପାଇଛନ୍ତି। ତିବ୍ଦତୀୟ ପ୍ଲେଟ୍ୟୁରେ ଚୀନ୍‌ର ‘ଫୋର୍ସଡ୍‌ ଅକ୍ୟୁପେସନ୍‌’ ଯୋଗଁ ଦୀର୍ଘ ୫୯ ବର୍ଷ ପରେ ସେମାନେ ଭୋଟ୍‌ଦାନ ସୁଯୋଗ ପାଇଛନ୍ତି। ପ୍ରଥମ ଥର ଲାଗି ଭାରତୀୟ ଗଣତନ୍ତ୍ର ପାଇଁ ୨୦୧୪ରେ ଲୋକସଭା ନିର୍ବାଚନ ନିମନ୍ତେ ତିବ୍ଦତୀୟମାନେ ଭୋଟ୍‌ ଦେଇଥିଲେ, କିନ୍ତୁ ପ୍ରଥମ ଥର ଲାଗି ସେମାନେ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର