ଅସ୍ତ୍ରୋପଚାର ବେଳେ ପେଟରେ କଇଁଚି ଛାଡ଼ିଦେଲେ ଡାକ୍ତର, ୩ ମାସ ପରେ ଧରାପଡ଼ିଲା ତ୍ରୁଟି

ହାଇଦ୍ରାବାଦ୍‌: ଡାକ୍ତରମାନଙ୍କ ଦାୟିତ୍ୱହୀନତା ଅନେକ ସମୟରେ ରୋଗୀଙ୍କ ଜୀବନ ସହ ଖେଳ ଖେଳିଥାଏ। ନିକଟରେ ହାଇଦ୍ରାବାଦ୍‌ଠାରେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି । ନିଜାମ୍‌ସ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏନ୍‌ଆଇଏମ୍‌ଏସ୍‌)ର ଡାକ୍ତର ଜଣେ ରୋଗୀଙ୍କ ହାର୍ଣ୍ଣିଆ ଅପରେସନ କଲା ବେଳେ ତାଙ୍କ ପେଟ ଭିତରେ କଇଁଚି ଛାଡ଼ି ଦେଇଥିବା ଜାଣିବାକୁ ମିଳିଛି।

ମହେଶ୍ୱରୀ ଚୌଧୁରୀ ନାମକ ଜଣେ ରୋଗୀଙ୍କର ଗୁରୁତର ପେଟ ସମସ୍ୟା ଦେଖା ଦେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନଭେମ୍ବର ୧ ତାରିଖରେ ଏନ୍‌ଆଇଏମ୍‌ଏସ୍‌ର ଡାକ୍ତରମାନେ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ନଭେମ୍ବର ୧୨ ତାରିଖ ଦିନ ମହିଳା ଜଣଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। ମାତ୍ର ଫେବ୍ରୁଆରି ୭ ତାରିଖରେ ତାଙ୍କର ପୁଣିଥରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଏହାପରେ ତାଙ୍କର ଏକ୍ସରେ କରାଯିବା ପରେ ପେଟ ଭିତରେ କଇଁଚି ଛାଡ଼ି ଥିବା ଜଣାପଡ଼ିଛି।

ଏନ୍‌ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ମହେଶ୍ୱରୀ ଚୌଧୁରୀ ତାଙ୍କ ପେଟରେ ଥିବା କଇଁଚିକୁ କାଢ଼ିବା ପାଇଁ ଏଥର ହସ୍ପିଟାଲ୍‌କୁ ଆସିଥିଲେ। ହସ୍ପିଟାଲ୍‌ରେ ତାଙ୍କର ଏକ୍ସ-ରେ କରାଯିବା ପରେ ରିପୋର୍ଟରେ ସ୍ପଷ୍ଟ ଭାବେ କଇଁଚି ଦେଖିବାକୁ ମିଳିଥିଲା। ତେବେ, ଏହା କେଉଁ ପରିସ୍ଥିତରେ ଘଟିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ପୀଡ଼ିତାଙ୍କ ସଂପର୍କୀୟମାନେ ଏହି ଘଟଣା ପରେ ହସ୍ପିଟାଲ୍‌ର ରେସିଡେଣ୍ଟ୍‌ ମେଡିକାଲ୍‌ ଅଫିସର୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର