ଶିକ୍ଷାର ଅଧିକାଂଶ ଖର୍ଚ୍ଚ ସରକାର ବହନ କରିବା ଆବଶ୍ୟକ, ଜେଏନୟୁ ଫି ବୃଦ୍ଧି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ : ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଦରମାର ବୋଝ ଛାତ୍ରଛାତ୍ରୀମାନଙ୍କ ଉପରେ ପଡ଼ିବା ଉଚିତ ନୁହେଁ । ଏଥିପାଇଁ ଅନ୍ୟ ଉତ୍ସରୁ ଅର୍ଥ ଯୋଗାଡ଼ କରାଯିବା ଆବଶ୍ୟକ । ସରକାର ଶିକ୍ଷା କ୍ଷେତ୍ରରୁ ବାହାରି ଯିବା ଉଚିତ ନୁହେଁ । ସରକାରଙ୍କୁ ହିଁ ଶିକ୍ଷା ପାଇଁ ଅର୍ଥଯୋଗାଇବାକୁ ପଡ଼ିବ । ଜେଏନୟୁ ଫି ବୃଦ୍ଧି ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଜେଏନୟୁ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ବିରୋଧ କରୁଛନ୍ତି । ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ ରାଜୀବ ସାକଦେର ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିନାହାନ୍ତି, ପୁରୁଣା ଫି ଅନୁସାରେ ସେମାନଙ୍କୁ ଅନୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଅତିରିକ୍ତ ସୋଲିସିଟର ଜେନେରାଲ ପିଙ୍କି ଆନନ୍ଦ କହିଥିଲେ ଯେ ବର୍ଦ୍ଧିତ ଫି ଅନୁସାରେ ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଫର୍ମପୂରଣ କରିସାରିଛନ୍ତି । ଏଣୁ ସେମାନଙ୍କ ପାଇଁ ଏହି ବର୍ଦ୍ଧିତ ଫି ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିବାରୁ ସେମାନେ ବାଧ୍ୟ ହୋଇ ବର୍ଦ୍ଧିତ ଫି ଦେଇଛନ୍ତି ବୋଲି ଜଷ୍ଟିସ ସାକଦେର କହିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଫେବ୍ରୁଆରି ୨୮ ତାରିଖରେ ହେବ ।

ସମ୍ବନ୍ଧିତ ଖବର