କାବୁଲ ମସ୍‌ଜିଦ୍‌ରେ ବିସ୍ଫୋରଣ, ୭୨ ମୃତ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଘୋର ପ୍ରଦେଶରେ ଅବସ୍ଥିତ ୨ଟି ସିହା ମସ୍‌ଜିଦ୍‌ରେ ଆଜି ସନ୍ଧ୍ୟାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାୟ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସଂଖ୍ୟାଲଘୁ ସିହା ସଂପ୍ରଦାୟକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ମସ୍‌ଜିଦରେ ଏଭଳି ବିସ୍ଫୋରଣ ଘଟାଇଥିବାରୁ ଆତଙ୍କ ଖେଳିଯାଇଛି। ଚଳିତ ବର୍ଷ ସିହା ସଂପ୍ରଦାୟ ଉପରେ ହୋଇଥିବା ଆକ୍ରମଣରେ ପୂର୍ବରୁ ୮୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨ ଶହରୁ ଅଧିକ ଆହତ ହୋଇଥିଲେ। ଆଜିର ଆକ୍ରମଣ ଏହି କ୍ରମରେ ସବୁଠାରୁ ଭୟଙ୍କର ବୋଲି କୁହାଯାଇଛି । ଗତକାଲି ଦକ୍ଷିଣ କାନ୍ଦାହାର ପ୍ରଦେଶରେ ଅବସ୍ଥିତ ଏକ ସେନା ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ୪୩ ଜଣ ଆଫଗାନ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଆଜି ଆତଙ୍କବାଦୀମାନେ ପ୍ରଥମ ଆତ୍ମଘାତୀ ବିସ୍ଫୋରଣ କାବୁଲ ସ୍ଥିତ ଇମାମ ଜମାନ ମସ୍‌ଜିଦ୍‌ରେ ଘଟାଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ଘୋର ପ୍ରଦେଶର ଏକ ସିହା ମସ୍‌୍‌ଜିଦ୍‌ରେ ଘଟାଇଥିଲେ।

ସମ୍ବନ୍ଧିତ ଖବର