ଆନାପଲିସ୍‌ ନିଉଜ୍‌ରୁମ୍‌ ଗୁଳିକାଣ୍ଡରେ ଅନ୍ୟୂନ ପାଞ୍ଚ ମୃତ

ଓ୍ଵାସିଂଟନ୍‌: ଗୁରୁବାର ଦିନ ଐତିହାସିକ ସହର ଆନାପଲିସ୍‌ରେ ଅବସ୍ଥିତ ‘କ୍ୟାପିଟାଲ୍‌ ଗେଜେଟ୍‌’ ଖବରକାଗଜ କାର୍ଯ୍ୟାଳୟରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ଗୁଳି ଚଳାଇବାରୁ ଅନ୍ୟୂନ ପାଞ୍ଚ ଜଣ ଲୋକ ନିହତ ହୋଇଛନ୍ତି।

ହାଜତରେ ପଚରା ଉଚୁରା କରାଯାଉଥିବା ସେ ସନ୍ଦିଗ୍ଧ ଜଣକ ଶ୍ୱେତାଙ୍ଗ। ଗୋଟିଏ ରାଇଫଲ୍‌ କିଂବା ଛୋଟ ବନ୍ଧୁକ ଧରି ସେ ଏକାକୀ ଗୁଳି ଚଳାଇଥିଲେ।

ଫିଲ୍‌ ଡେଭିଡ୍‌ ନାମକ ଜଣେ ସାମ୍ବାଦିକ ଏ ସମ୍ପର୍କରେ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି କି, ବୁନ୍ଧୁକଧାରୀ କାଚ କବାଟ ଦେଇ ଝଡ଼ ବେଗରେ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିବା ପରେ କର୍ମଚାରୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ଆନି ଏରନ୍‌ଡେଲ୍‌ କାଉଣ୍ଟିର ପୁଲିସ ମୁଖ୍ୟ ବିଲ୍‌ କ୍ରାମ୍ଫ୍‌ ମେରିଲାଣ୍ଡ୍‌ର ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ ପାଞ୍ଚ ଜଣ ଲୋକ ଏଥିରେ ନିହତ ହୋଇଥିବା ଜଣାପଡ଼ିଛି।

ଏଥିରେ ଅନ୍ୟ ତିନି ଜଣ ଆହତ ହୋଇଥିବା କଥା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

ଘଟଣା ଘଟିଥିବା ୪ ତାଲା କୋଠାରୁ ଏକ ସନ୍ଦିଗ୍ଧ ବିସ୍ଫୋରକ ଯନ୍ତ୍ର ନଷ୍ଟ କରି ଦିଆଯାଇଛି। ଏବେ ସେ ଅଟ୍ଟାଳିକାଟି ସମ୍ପୂର୍ଣ୍ଣ ନିରାପଦ। ସେଥିରେ ଥିବା ୧୭୦ ଜଣ ଲୋକଙ୍କୁ ନିରାପଦରେ ସେଠାରୁ ଉଦ୍ଧାର କରାଯାଇଛି।

‘କ୍ୟାପିଟାଲ୍‌ ଗେଜେଟ୍‌’ର ସମ୍ପାଦକ ଜିମ୍ମି ଡିବଟ୍‌ସ୍‌ ଟୁଇଟ୍‌ କରିଛନ୍ତି ଯେ ଉଚ୍ଛନ୍ନ, ଭଗ୍ନହୃଦୟ ଓ ସ୍ଥାଣୁ ହୋଇ ଯାଇଛନ୍ତି।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱ ଜନସଂଖ୍ୟାର ମାତ୍ର ୪% ହେଲେ ମଧ୍ୟ ବିଶ୍ୱ ଆଗ୍ନେୟାସ୍ତ୍ରର ଶତକଡ଼ା ୪୦ ଭାଗ ରହିଛି ଆମେରିକୀୟମାନଙ୍କ ପାଖରେ। ସାଧାରଣ ନାଗରିକମାନଙ୍କ ପାଖରେ ଥିବା ୮୫୭ ନିୟୁତ ବନ୍ଧୁକ ମଧ୍ୟରୁ ୩୯୩ ନିୟୁତ ରହିଛି ଯୁକ୍ତରାଷ୍ଟ୍ର ଆମେରିକାରେ।

ସମ୍ବନ୍ଧିତ ଖବର