ଉତ୍ତରପ୍ରଦେଶରେ ୨୧ ତାରିଖରେ ଆୟୋଜିତ ହେବ ବାଜପେୟୀଙ୍କ ‘ଅସ୍ଥି କଳସ ଯାତ୍ରା’

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା ସମଗ୍ର ଉତ୍ତରପ୍ରଦେଶରେ ଆସନ୍ତା ୨୧ ତାରିଖରେ ଆୟୋଜିତ ହେବ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଶୁକ୍ରବାର ଅପରାହ୍ଣରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମ୍‌ୃତିସ୍ଥଳରେ ପଞ୍ଚଭୂତରେ ଲୀନ ହୋଇଯାଇଛି। ପଞ୍ଚଭୂତରେ ଲୀନ ହୋଇଯିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶର ସମସ୍ତ ନଦୀରେ ବିସର୍ଜନ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶ ଦେଇ ପ୍ରବାହିତ ପବିତ୍ର ଗଙ୍ଗା ନଦୀ ଠାରୁ ଆରମ୍ଭ କରି ଯମୁନା, ତପ୍ତୀ, ଗୋମତି, ସିନ୍ଧୁ, ବରୁଣ ସମତେ ରାଜ୍ୟରେ ପ୍ରବାହିତ ସମସ୍ତ ନଦୀର ପ୍ରବାହିତ ଜଳରେ ବିସର୍ଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ ସୂଚନା ଦେଇ ଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ଉତ୍ତରପ୍ରଦେଶ ଥିଲା ବାଜପେୟୀଙ୍କ କର୍ମଭୂମି। ତେଣୁ, ସ୍ୱର୍ଗତ ବାଜପେୟୀଙ୍କୁ ଉତ୍ତରପ୍ରଦେଶ ଜନତାଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶରେ ପ୍ରବାହିତ ସମସ୍ତ ନଦୀର ପ୍ରବାହିତ ଜଳରେ ବିସର୍ଜନ କରାଯିବ। ଆସନ୍ତା ୨୧ ତାରିଖ ଦିନ ବାଜେପେୟୀଙ୍କ ଚିତାଭସ୍ମ ଧାରଣ କରିଥିବା କଳସ ଗୁଡ଼ିକୁ ସଡ଼କ ପଥରେ ଶେଭାଯାତ୍ରାରେ ନିଆଯାଇ ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ପ୍ରବାହିତ ଛୋଟ ବଡ଼ ନଦୀଗୁଡ଼ିକରେ ବିସର୍ଜନ କରାଯିବ।

ଏହାବାଦ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ତରପ୍ରଦେଶର ଆଗ୍ରା, ଲକ୍ଷ୍ନୌ, କାନପୁର ଓ ବଳରାମପୁରରେ ଚାରିଟି ସ୍ମାରକୀ ମଧ୍ୟ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର