ସପ୍ତାହକରେ ୬୦ ଶିଶୁ ମୃତ: ଅଡ଼ୁଆରେ ଯୋଗୀ ସରକାର

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରେ ଶିଶୁ ମଡ଼କ ଥମିବାର ନାଁ ଧରୁନି। ଗତ ସପ୍ତାହକ ଭିତରେ ଗୋରଖପୁର ସ୍ଥିତ ବାବା ରାଘବ ଦାସ(ବିଆର୍‌ଡି) ମେଡିକାଲରେ ଚିକତ୍ସିତ ହେଉଥିବା ୬୦ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୩୨ ଜଣ ଶିଶୁ ୧ ମାସରୁ କମ୍‌ ବୟସର ବୋଲି ଜଣାଯାଇଛି। ଗତ ଅଗଷ୍ଟ ମାସରେ ଅମ୍ଳଜାନ ଅଭାବରୁ ଏହି ହସ୍ପିଟାଲ୍‌ରେ ୬୦ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଏବେ ପୁଣି ଥରେ ଅନୁରୂପ ଦୁଃଖଦ ସ୍ଥିତି ଆଦିତ୍ୟ ଯୋଗୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ପ୍ରଶ୍ନ ଉଠାଇଛି।

ମିଳିଥିବା ତଥ୍ୟ ମୁତାବକ, ଗତ ୧ରୁ ୪ ତାରିଖ ମଧ୍ୟରେ ପ୍ରାୟ ୨୩୫ ଜଣ ଶିଶୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସଂକ୍ରମଣ ଓ ଅପପୁଷ୍ଟି କାରଣରୁ ୬୦ରୁ ଅଧିକ ଶିଶୁ ଆଖି ବୁଜିଥିବା ହସ୍ପିଟାଲ ସୂତ୍ରରୁ ଜଣାଯାଇଛି। ଶିଶୁମାନେ ସେମାନଙ୍କ ଘରେ ରହୁଥିବା ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ହିଁ ଶିଶମୃତ୍ୟୁର ମୁଖ୍ୟ କାରଣ ବୋଲି କୁହାଯାଉଛି। ସେଥିପାଇଁ ଶିଶୁମାନଙ୍କର ଅଭିଭାବକମାନଙ୍କୁ ସଚେଚତନ କରାଯାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ, ଡାକ୍ତରଙ୍କ ଅବହେଳା ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଶିଶୁମାନେ ଏପରି ବହୁ ସଂଖ୍ୟାରେ ଆଖି ବୁଜିିଥିବା ଅଭିଭାବକ ଏବଂ ଚିକିତ୍ସିତ ହେଉଥିିବା ଅନ୍ୟ ରୋଗୀମାନେ ଆପତ୍ତି ଉଠାଇଛନ୍ତି। ବିଆର୍‌ଡି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ମୁତାବକ, ପୂର୍ବରୁ ଚଳିତବର୍ଷ ଜାନୁଆରିରେ ୧୫୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଫେବ୍ରୁଆରିରେ ୧୨୨ଜଣ, ମାର୍ଚ୍ଚରେ ୧୫୯, ଏପ୍ରିଲରେ ୧୨୩, ମେ’ ମାସରେ ୧୩୯, ଜୁନ୍‌ରେ ୧୩୭, ଜୁଲାଇରେ ୧୨୮, ଅଗଷ୍ଟରେ ୩୨୫, ସେପ୍ଟେମ୍ବରରେ ୧୬୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଘଟଣା ବୁଦ୍ଧିଜୀବୀମାନଙ୍କୁ ଚକିତ କରିଥିବା ବେଳେ ବିରୋଧୀ ରାଜନେତାଙ୍କ ପାଇଁ ସରକାରଙ୍କୁ ଘେରିବାର ଅସ୍ତ୍ର ପାଲଟିଛି ।

 

ସମ୍ବନ୍ଧିତ ଖବର