କେନ୍ଦ୍ରମନ୍ତ୍ରୀ ରାମଦାସଙ୍କୁ ଚାପୁଡ଼ା

ଥା‌ନେ: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱା‌ଲେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି। ଗତକାଲି ଅଠାୱାଲେ ମହ‌ାରାଷ୍ଟ୍ରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା। ଅମ୍ବରନାଥ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ତେବେ ସେ ଭାଷଣ ଦେଇ ସାରିବା ପରେ ପ୍ରବୀଣ ଗୋସାବି ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ଯାଇ ଚାପୁଡ଼ା‌ ମାରିଥିଲେ। ଫଳ‌ରେ ସ୍ଥାନୀୟ ଲୋକମାନେ ଏହାକୁ ଜୋରଦାର ବିରୋଧ କରିବା ସହ ଅଭିଯୁକ୍ତ ଗୋସାବିକୁ ଖୁବ୍‌ ମାଡ଼ ମାରିଥିଲେ। କେନ୍ଦ୍ରମନ୍ତ୍ରୀ ଅଠାୱା‌ଲେ ଅଭିଯୋଗ କରିଛନ୍ତି ‌ଯେ ପୁଲିସ ତାଙ୍କୁ ଯଥେଷ୍ଟ ସୁରକ୍ଷା ଦେବାରେ ବିଫଳ ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଠାୱାଲେ ମଧ୍ୟ କହିଛନ୍ତି ‌ଯେ ଏହି ଘଟଣାରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଏବଂ ତଦନ୍ତ ଦାବି କରିବେ। ଅନ୍ୟପକ୍ଷେ ଅଭିଯୁକ୍ତକୁ ଏବେ ପୁଲିସ ଅଟକ ରଖି ଜେରା କରୁଛି। ସୂଚନାଯୋଗ୍ୟ ଅଠାୱାଲେଙ୍କ ଆକ୍ରମଣ ଘଟଣାକୁ ବିରୋଧ କରି ଆରପିଆଇ (ଏ) କର୍ମୀମାନେ ଅଠାୱାଲେଙ୍କ ବ‌ାସଭବନ ବାହାରେ ସ୍ଳୋଗାନ୍ ଦେଇ ଆନ୍ଦୋଳନ କରିଛନ୍ତି। ଉକ୍ତ ଘଟଣାରେ ଏବେ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ଆରମ୍ଭ ହୋଇ ଯାଇଛି।

ସମ୍ବନ୍ଧିତ ଖବର