କଲେଜ ସାମ୍ନାରେ ଛାତ୍ରୀଙ୍କୁ ଛୁରା ଭୁସି ହତ୍ୟା

ଚେନ୍ନାଇ: ଆଜି ଚେନ୍ନାଇର ମିନାକ୍ଷୀ ମହାବିଦ୍ୟାଳୟ ସାମ୍ନାରେ ସ୍ପଷ୍ଟ ଦିବାଲୋକରେ ଜଣେ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଜଣେ ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛି। ମୃତ ଛାତ୍ରୀଙ୍କ ନାମ ଅଶ୍ୱିନୀ ମୋହନ(୨୦) ହୋଇଥିବା ବେଳେ ସେ ମଦୁରାଭୋୟାଲର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଆଲଗେସାନ(୨୫) ଅଶ୍ୱିନୀଙ୍କୁ ଛୁରାମାଡ଼ କରି ଫେରାର୍‌ ହୋଇଯାଉଥିବା ବେଳେ ଉପସ୍ଥିତ ଲୋକେ ତାକୁ ଧାରି ନିର୍ଦ୍ଧୁମ୍‌ ମାଡ ମାରିବା ପରେ ପୁଲିସ୍‌ରେ ଦେଇଛନ୍ତି। ସେପଟେ ଅଶ୍ୱିନୀକୁ କେ.କେ.ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଛି। ତେବେ ପ୍ରାଥମିକ ଅନୁସନ୍ଧାନ ମୁତାବକ, ଅଭିଯୁକ୍ତ ତିରୁଭାନାମଲାଇର ଆଲଗେସାନ ଓ ଅଶ୍ୱିନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ମାସ ୧୬ ତାରିଖରେ ଉଭୟ ବିବାହ କରିଥିବା ଆଲଗେସାନ କହୁଥିବା ବେଳେ କିନ୍ତୁ ପରିବାର ବର୍ଗ ଏହି କଥାକୁ ଖଣ୍ଡନ କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଆଜି ଅଶ୍ୱିନୀ କଲେଜ ସାମ୍ନାରେ ଛିଡା ହୋଇଥିବା ବେଳେ ଆଲଗେସାନ ଉକ୍ତ ସ୍ଥାନରେ ପହଞ୍ଚିଥିଲା। କୌଣସି ଘଟଣାକୁ ନେଇ ଅଶ୍ୱିନୀଙ୍କ ସହ ଝଗଡା ହେବା ପରେ ଆଲଗେସାନ ତାଙ୍କ ଛାତି ଓ ପେଟରେ ଛୁରା ମାଡ଼ କରିଥିଲା।

ସମ୍ବନ୍ଧିତ ଖବର