ହିନ୍ଦୁ ଭାବନାକୁ ଆଘାତ ମାମଲା: ପ୍ରଣବଙ୍କୁ ଜାରି ନୋଟିସ୍‌ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଏକ ପୁସ୍ତକ ହିନ୍ଦୁ ଭାବନାକୁ ଆଘାତ ଦେଉଥିବା ଆଧାରରେ ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଥିବା ବେଳେ ଏହାର କିଛି ଘଣ୍ଟା ପରେ ପ୍ରତ୍ୟାହାର କରି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରଣବ ମୁଖାର୍ଜୀଙ୍କର ୨୦୧୬ ମସିହାରେ ଉନ୍ମୋଚିତ ‘ଟର୍ବୁଲେଣ୍ଟ୍‌ ଇୟର୍ସ ୧୯୮୦-୧୯୯୬’ ପୁସ୍ତକର କିଛି ଅଂଶ ହିନ୍ଦୁ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଆଧାରରେ ଆଜି ବିଚାରପତି ପ୍ରତିଭା ଏମ୍‌ ସିଂହ ପୂର୍ବତନ ରାଷ୍ଟ୍ରପତିଙ୍କୁ ନୋଟିସ କରିଥିଲେ ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଥିଲେ। ତେବେ ଏହାର କିଛି ସମୟ ପରେ ହଠାତ ସେ ଏହି ମାମଲାରୁ ନିଜକୁ ଦୂରେଇ ନେଉଥିବା ଘୋଷଣା କରିଥିଲେ। ଏବେ ଏହି ମାମଲାର ଶୁଣାଣି ୯ ତାରିଖରେ ହେବ ବୋଲି ଜଣାପଡ଼ିଛି। ପ୍ରଣବଙ୍କ ପୁସ୍ତକରେ ଅଯୋଧ୍ୟା ବିବାଦ ସଂପର୍କିତ ଅଧ୍ୟାୟରେ ହିନ୍ଦୁଙ୍କ ଭାବନା ପ୍ରତି ଆଘାତ କରାଯାଇଛି ବୋଲି ଟ୍ରଏଲ୍‌ କୋର୍ଟରେ ଆବେଦନ ହୋଇଥିଲା। ଟ୍ରାଏଲ କୋର୍ଟ ଏହି ଆବେଦନକୁ ୨୦୧୬ ମସିହା ନଭେମ୍ବର ୩୦ ତାରିଖରେ ଖାରଜ କରିବା ପରେ ଆବେଦନକାରୀମାନେ ନିମ୍ନ ଅଦାଲତର ଏହି ରାୟକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର