କଶ୍ମୀର ଛାତ୍ରଙ୍କ ଉପରେ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କଶ୍ମୀର ଛାତ୍ର ଏବଂ ବାସିନ୍ଦାଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମ‌କୋର୍ଟ। କଶ୍ମୀର ଛାତ୍ରଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ୧୧ଟି ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ କଶ୍ମୀରୀ ସାମଗ୍ରୀ ବର୍ଜନ କରିବାପାଇଁ ଯେଉଁ ଧମକପୂର୍ଣ୍ଣ ‌ମେସେଜ୍‌ ଆସୁଛି ସେ ଦିଗରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ କହିଛନ୍ତି। କଶ୍ମୀର ବାସିନ୍ଦାଙ୍କ ବିରୋଧରେ ହିଂସା ଏବଂ ଆକ୍ରମଣ ଘଟିଥିବା ୧୧ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା, ମେଘାଳୟ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ସରକାରଙ୍କଠାରୁ ଏନେଇ ଜବାବ ମଗାଯାଇଛି। ଇତିମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୪ ଜଣ କଶ୍ମୀରୀ ଛାତ୍ରଙ୍କୁ ବାହାର କରିଦିଆଯାଇଥିବା ବେଳେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଭିଡ଼ ହିଂସା ନିୟନ୍ତ୍ରଣ ପାଇଁ ନିଯୁକ୍ତ ହୋଇଥିବା ପୁଲିସ ଅଧିକାରୀ ତଥା ନୋଡାଲ ଅଫିସରମାନେ ଏବେ ବିଭିନ୍ନ ରାଜ୍ୟରେ କଶ୍ମୀର ଛାତ୍ରଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ମଧ୍ୟ ମୁକାବିଲା କରିବେ ଏବଂ ଏନେଇ କୌଣସି ହିଂସା ଉପୁଜିଲେ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି।

ସମ୍ବନ୍ଧିତ ଖବର