ଆକ୍ରମଣରେ ସ୍ୱିସ୍‌ ଦମ୍ପତିଙ୍କ ହାଡ଼ ଭାଙ୍ଗିବା ଘଟଣା

ନାବାଳକ ଅଟକ, ସୁଷମାଙ୍କ ରିପୋର୍ଟ ତଲବ

ଆଗ୍ରା: ଗତ ରବିବାର ଅପରାହ୍ଣରେ ଉତ୍ତରପ୍ରଦେଶର ଆଗ୍ରାଠାରୁ ୪୦ କିମି ଦୂର ଫତେପୁର ସିକ୍ରି ଠାରେ ସ୍ୱିଜରଲାଣ୍ଡ ଦମ୍ପତି କ୍ୱେଣ୍ଟିମ୍‌ ଜେରେମି କ୍ଲର୍କ ଏବଂ ମେରି ଡ୍ରୋଜ୍‌ଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣା ଆଲୋଡ଼ନ ଆଣିଛି। ଏହା ଭାରତରେ ବିଦେଶୀ ପର୍ଯ୍ୟଟକମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଥିବା ବେଳେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ଘଟଣାର ରିପୋର୍ଟ ତଲବ କରିଛନ୍ତି। ତେବେ ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତର ନାବାଳକ ଭାଇକୁ ଅଟକ ରଖି ପଚରାଉଚୁରା କରୁଛି।

ଘଟଣା ଦିନ ଉକ୍ତ ଦମ୍ପତିଙ୍କୁ କିଛି ନାବାଳକ(୧୨ରୁ ୧୪ ବର୍ଷ ବୟସର ୪ଜଣ) ଗୋଡ଼େଇ ଗୋଡ଼େଇ ପଥର ମାଡ଼ କରିବା ସହ ବାଡ଼ିରେ ଖୁବ୍‌ ପିଟିିଥିଲେ। ଏଥିରେ କ୍ଲର୍କଙ୍କର ଖପୁରି ହାଡ଼ ଫାଟି ଯାଇଥିବାବେଳେ ତାଙ୍କ ବାନ୍ଧବୀ ମେରିଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି। ସମ୍ପ୍ରତି ବିଶ୍ୱ ଐତିହ୍ୟସ୍ଥଳୀ ତାଜମହଲକୁ ନେଇ ବିବାଦୀୟ ବୟାନ ପାଇଁ ଝଡ଼ ବହି ଚାଲିଥିବା ବେଳେ ସ୍ୱିସ୍‌ ଦମ୍ପତିଙ୍କୁ ଆକ୍ରମଣ ଘଟଣା ବିଦେଶୀ ପର୍ଯ୍ୟଟକମାନଙ୍କୁ ଭୟଭୀତ କରିଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକୁ ରାଜସ୍ଥାନ-ଉତ୍ତରପ୍ରଦେଶ ସୀମାରୁ ଗିରଫ କରାଯାଇଥିବା ପୁଲିସ କହିଛି। ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠିତ ହୋଇଛି। ସୂଚନା ଥାଉ କି, ୨୦୦୪ ମସିହାରେ ଜଣେ ଜର୍ମାନ ମହିଳାଙ୍କୁ ଆଗ୍ରାର ଜଣେ ହୋଟେଲ ମ୍ୟାନେଜର ଉତ୍ପୀଡ଼ନ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ସେହିପରି ୨୦୦୭ ମସିହାରେ ଦୁଇ ଜାପାନୀ ପର୍ଯ୍ୟଟକ ମଧ୍ୟ ଏହି ସହରରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର