ଗୁଜରାଟରୁ ପଳାୟନ ଜାରି

କଂଗ୍ରେସକୁ ଦାୟୀ କଲେ ରୁପାନି ସରକାର

ମୁମ୍ବାଇ: ଗୁଜରାଟରେ ଉତ୍ତର ଭାରତୀୟଙ୍କ ଉପରେ ହିଂସା ଜାରି ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢ଼େଇ ମଧ୍ୟ ଜୋର୍‌ଦାର ହୋଇଛି। ରାଜ୍ୟରେ ବ୍ୟାପୁଥିବା ହିଂସା ପଛରେ କଂଗ୍ରେସର ହାତ ରହିଛି ବୋଲି ବିଜେପି କହିଛି ଏବଂ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଯୋଜନାବଦ୍ଧ ଭାବେ ହିଂସା ବ୍ୟାପକ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି। ଆକ୍ରମଣ ପରେ ୨୦ ହଜାରରୁ ଅଧିକ ଉତ୍ତର ଭାରତୀୟ ରାଜ୍ୟ ଛାଡ଼ିଛନ୍ତି। ଆଜି ମଧ୍ୟ ପଳାୟନ ଜାରି ରହିଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଛନ୍ତି। ଶିଳ୍ପାଞ୍ଚଳ ଏବଂ ଦାଦନ ଶ୍ରମିକମାନେ ରହୁଥିବା ଅଂଚଳରେ ପୁଲିସ ପାଟ୍ରୋଲିଂ ବ୍ୟାପକ କରାଯାଇଛି।

ସବରକଣ୍ଠାରେ ଜଣେ ୧୪ ମାସର ଶିଶୁକନ୍ୟାକୁ ଗତମାସ ୨୮ ତାରିଖରେ ଦୁଷ୍କର୍ମ ହୋଇଥିଲା ଏବଂ ଏହି ମାମଲାରେ ବିହାରର ଜଣେ ଦାଦନ ଶ୍ରମିକକୁ ପୁଲିସ ଗିରଫ କରିଥିଲା। ଏହା ପରେ ବିହାର ଏବଂ ଉତ୍ତର ପ୍ରଦେଶର ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲେ। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ ଯୋଜନାବଦ୍ଧ ଭାବେ ହିଂସାରେ ଲିପ୍ତ ରହିଛନ୍ତି ଏବଂ ହିଂସାକୁ ବ୍ୟାପକ କରି ସରକାରଙ୍କୁ ବଦନାମ କରିବାକୁ କଂଗ୍ରେସ ପ୍ରୟାସ କରୁଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ମାମଲାରେ ଲଜ୍ଜାହୀନ ଆଚରଣ କରୁଛନ୍ତି ବୋଲି ସେ କହିଛନ୍ତି। ରାହୁଲ ନିଜ ଦଳର ସଦସ୍ୟମାନଙ୍କୁ ହିଂସାରୁ ଦୂରେଇ ରହିବାକୁ କାହିଁକି ପରାମର୍ଶ ଦେଉନାହାନ୍ତି ବୋଲି ରୁପାନୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର