ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି:ମଧ୍ୟସ୍ଥି ମାଇକେଲ୍‌ଙ୍କ ପ୍ରତ୍ୟର୍ପଣ ବାଟ ସଫ‌‌ା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିଷ୍ଟିଆନ୍‌ ମାଇକେଲ୍‌ଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ବାଟ ଫିଟିଛି। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ତଳ କୋର୍ଟ ଦେଇଥିବା ରାୟକୁ ଆଜି ଦୁବାଇର ସର୍ବୋଚ୍ଚ ଅଦାଲତ କାଏମ୍‌ ରଖିଛନ୍ତି। ଏ ନେଇ ମାଇକେଲ୍‌ଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ କୋର୍ଟ ଖାରଜ କରିଦେବା ସହିତ ଏନ୍‌ଡିଏ ସରକାରଙ୍କ ଅନୁରୋଧକୁ ସ୍ବୀକୃତି ଦେଇଛନ୍ତି। ‌ତେବେ ପ୍ରତ୍ୟର୍ପଣକୁ ଏଡ଼ାଇବା ପାଇଁ ତାଙ୍କ ନିକଟରେ ଏବେ ଆଉ ମାତ୍ର ଗୋଟିଏ ସୁଯୋଗ ରହିଛି। ମାଇକେଲ୍‌ ଚାହିଲେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ନ୍ୟାୟ ମନ୍ତ୍ରାଳୟ ଦ୍ବାରସ୍ଥ ହୋଇ ହୋଇ ପ୍ରତ୍ୟର୍ପଣରୁ ବଞ୍ଚିପାରିବେ।
ଉଲ୍ଲେଖଯୋଗ୍ୟ, ୩,୬୦୦ କୋଟି ଟଙ୍କାର ଏହି ଦୁର୍ନୀତି ମାମଲା‌ରେ ମାଇକେଲ୍‌ ଜଣେ ଅଭିଯୁକ୍ତ ରହିଛନ୍ତି। ତାଙ୍କ ବିରୋଧରେ ଅର୍ଥ ଠକେଇ, ଲାଞ୍ଚ କାରବାର ଓ ଜାଲିଆତି ଭଳି ଅଭିଯୋଗ ରହିଛି। ଏବେ ସେ ଦୁବାଇ ଜେଲ୍‌ରେ ରହିଛନ୍ତି। ମାମଲାରେ ଭାରତ ପକ୍ଷରୁ ଦୁବାଇର ଆପିଲେଟ୍‌ କୋର୍ଟରେ ଆବେଦନ କରାଯାଇଥିଲା। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁରୋଧ ହୋଇଥିଲା। ତେବେ କୋର୍ଟ ୫୪ ବର୍ଷୀୟ ବ୍ରିଟିସ୍ ବ୍ୟବସାୟୀ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ରାୟ ଦେଇଥିଲେ। ଏହାପରେ ମାଇକେଲ୍‌ ଦୁବାଇର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ତଳକୋର୍ଟ ରାୟ କାଏମ୍‌ ରଖିବାରୁ ତାଙ୍କ ଅଡୁଆ ଏବେ ବଢ଼ିଛି। ୨୦୧୬ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ଚାର୍ଜସିଟ୍‌ରେ ଦର୍ଶାଇଥିଲା ଯେ ମାଇକେଲ୍‌ ଅଗଷ୍ଟା ୱେଷ୍ଟଲାଣ୍ଡଠାରୁ ୩୦ ନିୟୁତ ୟୁରୋ (ପାୟ ୨୨୫ କୋଟି ଟଙ୍କା) ଲାଞ୍ଚ ନେଇଥିଲେ।

ସମ୍ବନ୍ଧିତ ଖବର