ଅଗଷ୍ଟା ହେଲିକପ୍‌ଟର ବିବାଦ : ମଧ୍ୟସ୍ଥିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି

ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟ୍‍ଲ୍ୟାଣ୍ଡ୍‌ ହେଲିକପ୍‌ଟର କ୍ରୟ ବିବାଦରେ ମଧ୍ୟସ୍ଥି ଖ୍ରିଷ୍ଟିଆନ୍‌ ମିସେଲ୍‌ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆଜି ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦୀୟ ହେଲିକପ୍‌୍‌ଟର କ୍ରୟ ମାମଲାରେ ମିସେଲଙ୍କୁ ଜେରା ପାଇଁ ଭାରତ ଆଣିବାକୁ ତଦନ୍ତକାରୀ ସଂସ୍ଥାମାନେ ଲଗାତାର ପ୍ରୟାସ ଜାରି ରଖିଥିଲେ। ଫେବ୍ରୁଆରି ୨୦୧୭ରେ ମିସେଲଙ୍କୁ ୟୁଏଇରୁ ଗିରଫ କରାଯାଇଥିଲା। ମିସେଲଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ସିବିଆଇ ମିସେଲଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି ଏବଂ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାପ ସୃଷ୍ଟି କରାଯାଉଛି । ତେବେ ଭାରତୀୟ ତଦନ୍ତକାରୀ ସଂସ୍ଥା ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲ ଜୁନ୍‌ରେ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତକୁ ତା’ର ଦୋଷ ସ୍ୱୀକାର କରିବା ପାଇଁ କୌଣସି ଚାପ ସୃଷ୍ଟି କରିନାହିଁ।
ସୂଚନାଯୋଗ୍ୟ, ୟୁପିଏ ସରକାର ଅମଳରେ ୧୨ଟି ଭିଭିଆଇପି ହେଲିକପ୍‌୍‌ଟର କ୍ରୟ ପାଇଁ ଫିନ୍‌ମେକାନିକା କମ୍ପାନି ସହ ଚୁକ୍ତି ହୋଇଥିଲା। ତେବେ ଏହି ଚୁକ୍ତି ପାଇଁ କମ୍ପାନି ଲାଞ୍ଚ ଦେଇଥିବା ଏହାର କେତେକ ଅଧିକାରୀ ପ୍ରକାଶ କରିବା ପରେ ଭାରତରେ ଏହା ଝଡ଼ ସୃଷ୍ଟି କରିଥିଲା। ଭାରତୀୟ ରାଜନେତା, ପ୍ରତିରକ୍ଷା ବଭାଗ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏବଂ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ପ୍ରାୟ ୩୫୦ କୋଟି ଟଙ୍କା ଲାଞ୍ଚ ଦେବାପାଇଁ ଏହି ଅର୍ଥ ମିସେଲଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୪ ଜନୁଆରୀ ୧ରେ ଭାରତ ଏହି ଚୁକ୍ତି ରଦ୍ଦ କରିଥିଲା।

ସମ୍ବନ୍ଧିତ ଖବର