ଲଜ୍ଜା: ମୁମ୍ବାଇ ରାଜରାସ୍ତା ଉପରେ ଗଣମାଧ୍ୟମର ମହିଳା କର୍ମଚାରୀଙ୍କ ସମ୍ମୁଖରେ ଅଟୋ ଚାଳକ କଲେ ଆପତ୍ତିଜନକ କାର୍ଯ୍ୟ

ମୁମ୍ବାଇ: ଗଣମାଧ୍ୟମରେ କାର୍ଯ୍ୟରତ ଜନୈକା ମହିଳା କର୍ମଚାରୀ ଆଜି ମୁମ୍ବାଇର ରାଜରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ଜନୈକ ଅଟୋ ଚାଳକଙ୍କ ଆପତ୍ତିଜନକ ଆଚରଣର ଶିକାର ହେବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଚର୍ଚ୍ଚା ଆଲୋଡ଼ନ ସୃଷ୍ଟି ହୋଇଛି। ମହିଳା ଜଣକ ଏକାକୀ ଅଟୋରେ ଆସୁଥିବା ବେଳେ ସଂପୃକ୍ତ ଅଟୋର ଚାଳକ ଜଣକ ତାଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟ କରିଥିବା ସେ ମୁମ୍ବାଇ ପୁଲିସ୍‌ ନିକଟରେ ଅଭିଯୋଗ ଆଗତ କରିବା ସହ ପୂରା ଘଟଣାକୁ ନିଜ ଟୁଇଟର ପୃଷ୍ଠାରେ ବର୍ଣ୍ଣନା କରିଛନ୍ତି।

ଏହି ଲଜ୍ଜାଜନକ ଘଟଣା ସଂପର୍କରେ ସୂଚନା ଦେଇ ମହିଳା ଜଣକ କହିଛନ୍ତି ଯେ ଆଜି ପୂର୍ବାହ୍ନରେ ସେ ମାଲାଦରୁ କାଣ୍ଡିଭାଲି ଆସିବା ପାଇଁ ଏକ ଅଟୋରେ ଏକାକୀ ବସିଥିଲେ। ଅଟୋରେ ବସିବା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍‌ରୁ ଏକ ମେସେଜ ପଠାଇବାରେ ବ୍ୟସ୍ତ ଥିଲେ। ପରେ ତାଙ୍କ ଫୋନ୍‌କୁ ଏକ କଲ ଆସିଥିଲା। ସେ ଫୋନ୍‌ରେ କଥା ହେଉ ହେଉ ଅଟୋ ଚାଳକ ଆଡ଼କୁ ଯେତେବେଳେ ଦେଖିଲେ, ସେତେବେଳେ ଅଟୋ ଚାଳକର ହାବଭାବ ତାଙ୍କୁ କିଛି ଠିକ୍‌ ମନେ ହେଲା ନାହିଁ। ତେବେ, ସେ ଅଟୋ ଚାଳକକୁ କିଛି କହିବା ପୂର୍ବରୁ ଚାଳକ ଜଣକ ଅଟୋଟିକୁ ଏକ ଅପେକ୍ଷାକୃତ ନିଛାଟିଆ ଗଳି ଭିତରକୁ ପୂରାଇ ଦେବା ସହ ତାଙ୍କ ସମ୍ମୁଖରେ ନିଜ ପ୍ୟାଣ୍ଟକୁ ଖୋଲି ପକାଇ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲା। ଏ ଘଟଣା ଦେଖି ମହିଳା ଜଣକ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିବା ସହ ପ୍ରାଣ ବିକଳରେ ଅଟୋରୁ ଓହ୍ଲାଇ ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।

ପରେ ମହିଳା ଜଣକ ତାଙ୍କ ସହ ଘଟିଥିବା ଏ ଅଶୋଭନୀୟ ଘଟଣାକୁ ତାଙ୍କ ନିଜ ଟୁଇଟର ପୃଷ୍ଠାରେ ବର୍ଣ୍ଣନା କରବା ପରେ ଏହା ମୁମ୍ବାଇ ପୁଲିସ୍‌ ନଜରକୁ ଆସିଥିଲା। ପରେ ମୁମ୍ବାଇ ପୁଲିସ୍‌ ତାଙ୍କୁ ଘଟଣା ସଂପର୍କରେ ବୋରିଭାଲି ଥାନାରେ ଅଭିଯୋଗ ଆଗତ କରିବା ପାଇଁ ପରାମର୍ଶ ଦେବାପରେ ସେ ବୋରିଭାଲି ଥାନାରେ ଘଟଣା ସଂପର୍କରେ ଅଭିଯୋଗ ଆଗତ କରିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରିବାରେ ସମର୍ଥ ହୋଇ ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର