ରୁଷିଆ ସରକାର ଜାରି କଲେ ନିର୍ଦ୍ଦେଶନାମା; ଫିଫା ବିଶ୍ୱକପ୍ କାଳରେ ଅଣ-ଶ୍ୱେତାଙ୍ଗ ବିଦେଶୀଙ୍କ ସହ ଶରୀରିକ ସଂପର୍କ ରଖିବା ରୁଷୀୟ ମହିଳାଙ୍କୁ ମହଙ୍ଗା ପଡ଼ିବ
ମସ୍କୋ (ରୁଷିଆ): ରୁଷିଆରେ ଆଜି (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଫୁଟବଲ୍ର ମହାକୁମ୍ଭ ଫିଫା ବିଶ୍ୱକପ୍ ୨୦୧୮। ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡ଼ିୟମରେ ପ୍ରାୟ ଏକ ମାସ ଧରି ଚାଲିବାକୁଥିବା ଫୁଟବଲର ମହାସମରରେ ବିଶ୍ୱର ୩୨ ରାଷ୍ଟ୍ରର ବଛା ବଛା ଦଳ ଅଂଶ ଗ୍ରହଣ କରିବା ସହ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ସହ ଫିଫା ବିଶ୍ୱକପ୍ ମୁକୁଟ ପାଇଁ ଲଢ଼ିବେ। ଏହା ଅନସ୍ୱୀକାର୍ଯ୍ୟ ଯେ ଏବେ ବି ଫୁଟବଲ୍ ହିଁ ହେଉଛି, ସମଗ୍ର ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ଖେଳ। ତେଣୁ, ସ୍ୱାଭାବିକ ଭାବେ ଫୁଟବଲର ଏହି ମହାକୁମ୍ଭ ଅବସରରେ ରୁଷିଆରେ ବିଶ୍ୱର ବିଭିନ୍ନ ଦେଶର ହଜାର ହଜାର ଫୁଟବଲ୍ ପ୍ରେମୀଙ୍କର ଭିଡ଼ ଜମିବ।
Sambad is now on WhatsApp
Join and get latest news updates delivered to you via WhatsApp
ଖେଳ ସହିତ ‘ସେକ୍ସ’ର ମଧ୍ୟ ରହିଛି ଏକ ନିବିଡ଼ ସଂପର୍କ। ତେଣୁ, ସ୍ୱାଭାବିକ ଭାବେ ବିଶ୍ୱର କୋଣ ଅନୁକୋଣରୁ ଯେଉଁ ବିଦେଶୀ ଫୁଟବଲ୍ ପ୍ରେମୀମାନେ ଫୁଟବଲର ଏହି ମହାକୁମ୍ଭର ମଜା ଉଠାଇବାକୁ ବିପୁଳ ଅର୍ଥ ବ୍ୟୟ କରି ରୁଷିଆ ଆସିବେ, ସେମାନେ ସୁବଧା ସୁଯୋଗ ଦେଖି ରୁଷିଆରେ ସେକ୍ସର ମଜା ମଧ୍ୟ ଉଠାଇବାକୁ କୁଣ୍ଠିତ ହେବେ ନାହିଁ। ଏହା ଯେତେ ଅପ୍ରିୟ ହେଲେ ମଧ୍ୟ ସତ୍ୟ! ଏହି ସତ୍ୟତା ଓ ବାସ୍ତବତାକୁ ହୃଦୟଙ୍ଗମ କରି ରୁଷିଆ ସରକାର ଫୁଟବଲ ମହାକୁମ୍ଭ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରୁଷୀୟ ମହିଳାମାନଙ୍କ ପାଇଁ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରୁଷିଆ ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମାରେ ଅଣଶ୍ୱେତାଙ୍ଗ ବିଦେଶୀ ବ୍ୟକ୍ତି ବିଶେଷମାନଙ୍କ ସହିତ କୌଣସି ପ୍ରକାରର ଶାରୀରିକ ସଂପର୍କ (ଯୌନ ସଂପର୍କ)ରେ ଲିପ୍ତ ନହେବାକୁ ରୁଷୀୟ ମହିଳାମାନଙ୍କୁ ରୁଷିଆର ଆଇନ୍ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାରଣ, ରୁଷୀୟ ମହିଳାମାନେ ଯଦି ଅଣଶ୍ୱେତାଙ୍ଗ ବ୍ୟକ୍ତିଙ୍କ ସହ ଶାରୀରିକ ସଂପର୍କ ରଖନ୍ତି, ତେବେ ସେମାନେ ‘ବର୍ଣ୍ଣ ଶଙ୍କର’ ସନ୍ତାନ ଜନ୍ମ ଦେବେ ଏବଂ ପରବର୍ତ୍ତୀ ସମୟରେ ଏହା ସେମାନଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିବ।
ଅବଶ୍ୟ, ପୂର୍ବ ଅଭିଜ୍ଞତା ଅଧାରରେ ରୁଷିଆ ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା କହିଛନ୍ତି ରୁଷିଆ ମହିଳା ଓ ଶିଶୁ ବିଭାଗ ମୁଖ୍ୟ ତାମରା ପେଲ୍ତିନୋଭା। ସେ କହିଛନ୍ତି ଯେ ୧୯୮୦ରେ ମସ୍କୋରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରାଯାଇଥିଲା। ସେସମୟରେ ବି ବହୁ କ୍ରୀଡ଼ାପ୍ରେମୀଙ୍କର ସମାଗମ ଘଟିଥିଲା ମସ୍କୋରେ। ହେଲେ, ସେତେବେଳେ ରୁଷିଆରେ ପର୍ଯ୍ୟାପ୍ତ ପରିମାଣରେ ଭର୍ଗନିରୋଧକ (କଣ୍ଟ୍ରାସେପ୍ଟିଭ୍) ରୁଷିଆରେ ଉପଲବ୍ଧ ନଥିଲା। ଏବଂ ଯେଉଁ କାରଣରୁ ସେତେବେଳେ ରୁଷିଆରେ ବହୁ ସଂଖ୍ୟକ ରୁଷୀୟ ମହିଳା ‘ବର୍ଣ୍ଣ ଶଙ୍କର’ ପିଲାଙ୍କୁ ଜନ୍ମ ଦେଇ ଅସୁବିଧାରେ ପଡ଼ିଥିଲେ। ଏବେବି ରୁଷିଆରେ ଏହି ବର୍ଣ୍ଣ ଶଙ୍କର ପିଲାଙ୍କୁ ‘ଚିଲ୍ଡ୍ରେନ୍ ଅଫ୍ ଅଲିମ୍ପିକ୍’ ବୋଲି କୁହାଯାଉଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଅଫ୍ରିକା, ଲାଟିନ୍ ଆମେରିକା ଓ ଏସୀୟ ଦେଶର ପୁରୁଷମାନଙ୍କ ସହିତ କୌଣସି ପ୍ରକାରର ଶାରୀରିକ ସଂପର୍କ ନ ରଖିବା ରୁଷୀୟ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି ସରକାର। ଏଥିସହ ‘ବର୍ଣ୍ଣ ଶଙ୍କର’ ପିଲା ଓ ସେମାନଙ୍କୁ ଜନ୍ମ ଦେଉଥିବା ରୁଷୀୟ ମହିଳାଙ୍କ ପାଇଁ ରୁଷିଆରେ କୌଣସି ସ୍ଥାନ ନାହିଁ ବୋଲି ମଧ୍ୟ ଏହି ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଛି।