ସିଆ ଓ୍ଵାକଫ୍‌ ବୋର୍ଡର ନୂଆ ସମାଧାନ ସୂତ୍ର:ଅଯୋଧ୍ୟାରେ ମନ୍ଦିର, ଲକ୍ଷ୍ନୌରେ ମସ୍‌ଜିଦ୍‌

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ସବୁଠୁ ଚର୍ଚ୍ଚିତ ବିବାଦୀୟ ପ୍ରସଙ୍ଗ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ସମାଧାନ ପାଇଁ ସିଆ ଓ୍ଵାକଫ୍‌ ବୋର୍ଡ ପକ୍ଷରୁ ସୋମବାର ଏକ ଅଭିନବ ପ୍ରସ୍ତାବ ଦିଆଯାଇଛି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସହ ଏଠାରୁ ୧୩୫ କିମି ଦୂର ଲକ୍ଷ୍ନୌ ସହରରେ ଅମନ ମସ୍‌ଜିଦ୍‌ ବା ଶାନ୍ତି ମସ୍‌ଜିଦ ନିର୍ମାଣ କରାଗଲେ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ବୋଲି ଓ୍ଵାକଫ୍‌ ବୋର୍ଡ ଆଶା ପ୍ରକଟ କରିଛି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନାର ନିର୍ଯ୍ୟାସ ସ୍ୱରୂପ ଏହି ନୂତନ ପ୍ରସ୍ତାବ ଦ୍ୱାରା ଉଭୟ ସମ୍ପ୍ରଦାୟର ଜିଦ୍‌କୁ ସମ୍ମାନ ଦେଇ ହେବ। ତେଣୁ ମୁସ୍‌ଲିମ୍‌ ବହୁଳ ଲକ୍ଷ୍ନୌରେ ମସ୍‌ଜିଦ୍‌ର ନିର୍ମାଣ ଏବଂ ହିନ୍ଦୁ ବହୁଳ ଅଯାଧ୍ୟାରେ ରାମ ମନ୍ଦିର ହେଉ ବୋଲି ବୋର୍ଡ ଅଧ୍ୟକ୍ଷ ସୟିଦ ଓ୍ଵାସ୍‌ମି ରିଜଭି କହିଛନ୍ତିି।
ଉଲ୍ଲେଖ ଥାଉ କି, କୋର୍ଟ ବାହାରେ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରୁନି। ଆସନ୍ତା ୫ ତାରିଖରୁ ସର୍ବୋଚ୍ଚ ଅଦାଲତରେ ଏହି ୨.୭ ଏକର ଭୂମି ବିବାଦର ଶେଷ ପର୍ଯ୍ୟାୟ ଶୁଣାଣି କରାଯିବ। ତେଣୁ ବୋର୍ଡର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ଆଗରେ ପେସ୍‌ କରାଯିବ ବୋଲି ରିଜ୍‌ଭି କହିଛନ୍ତି। ଏହି ପ୍ରସ୍ତାବକୁ ହିନ୍ଦୁ ସମ୍ପ୍ରଦାୟର ଅନେକ ପୁରୁଖା ନେତାଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଗ୍ରହଣୀୟ ବୋଲି କହିଛନ୍ତି। ସୋମବାର ଅଖିଳ ଭାରତୀୟ ଅକ୍ଷର ପରିଷଦର ସାମ୍ବାଦିକ ସମ୍ମିଳନୀରେ ମହନ୍ତ ନରେନ୍ଦ୍ର ଗିରି ଓ ରିଜ୍‌ଭି ଏହି ପ୍ରସ୍ତାବ ସମ୍ପର୍କରେ ଦର୍ଶାଇଛନ୍ତି।
ଅପରପକ୍ଷେ, ସୁନ୍ନି ମୁସ୍‌ଲିମ ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରିବା ସହ ବିଜେପି ଚାପରେ ସିଆ ବୋର୍ଡ ଏଭଳି ପ୍ରସ୍ତାବ ଦେଉଥିବା ସୁନ୍ନି ନେତା ମୌଲାନା କଲବେ ଜାଓ୍ଵଦ୍‌ କହିଛନ୍ତି। ସିଆ ବୋର୍ଡ ଏହି ମାମଲାର ପକ୍ଷଭୁକ୍ତ ନଥିବାରୁ ଉକ୍ତ ଗୋଷ୍ଠୀର ପ୍ରସ୍ତାବକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁନ୍ନି ସଂପ୍ରଦାୟ ପକ୍ଷରୁ କୁହାଯାଇଛି।
ଉଲ୍ଲେଖ ଥାଉ କି, ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ହିନ୍ଦୁ ବିଶ୍ୱାସ ରହିଥିବା ବେଳେ ଉକ୍ତ ସ୍ଥାନରେ ହିଁ ପ୍ରଥମ ମୋଗଲ ରାଜା ବାବର ଉକ୍ତ ମସ୍‌ଜିଦ୍‌ର ନିର୍ମାଣ କରିଥିବା ମୁସ୍‌ଲିମଙ୍କର ବିଶ୍ୱାସ ରହିଆସିଛି । ତେଣୁ ଏହି ବିବାଦର ସମାଧାନ ପାଇଁ ଅନେକ ସୂତ୍ର ବାହାରିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ଦୁଇଟି ଯାକ ଧାର୍ମିକ ପୀଠର ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ। ତେବେ ପ୍ରଥମଥର ପାଇଁ ଏଭଳି ଏକ ପ୍ରସ୍ତାବ ଆସିଛି ଯେଉଁଠି ଉଭୟ ସଂପ୍ରଦାୟଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନ ସମ୍ପର୍କରେ କୁହାଯାଇଛି। ନିକଟରେ ଆର୍ଟ-ଅଫ-ଲିଭିଂ ପ୍ରତିଷ୍ଠାତା ରବିଶଙ୍କର ଉକ୍ତ ବିବାଦର ସମାଧାନ ପାଇଁ ଅଯୋଧ୍ୟାରେ ପହଞ୍ଚି ଆଲୋଚନା କରିଥିଲେ ହେଁ କିଛି ସୁଫଳ ମିଳିନି।

ସମ୍ବନ୍ଧିତ ଖବର