ଅଯୋଧ୍ୟା ମାମଲା ଏକ ଜମି ବିବାଦ: ସୁପ୍ରିମ୍‌ କୋର୍ଟ

ରାଜନୈତିକ ଓ ଧାର୍ମିକ ଯୁକ୍ତି ଶୁଣିବେ ନାହିଁ
ତୃତୀୟ ପକ୍ଷ ଆବେଦନ ଗ୍ରହଣ କରାଯିବନି
ଦୈନନ୍ଦିନ ଶୁଣାଣି କରିବାକୁ ମନାକଲେ
ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ। ଏହାକୁ ଦିଓ୍ଵାନୀ ମାମଲା ରୂପେ ବିଚାର କରାଯିବ। ୭୦ ବର୍ଷ ପୁରୁଣା ଅଯୋଧ୍ୟା (ରାମ ଜନ୍ମଭୂମି-ବାବ୍ରୀ ମସଜିଦ) ମାମଲାର ଶୁଣାଣି ଆରମ୍ଭ କରିବା ଅବସରରେ ଆଜି ସୁପ୍ରିମ କୋର୍ଟ ଏହା ସ୍ପଷ୍ଟ କରିଦେଇଛନ୍ତି। ଏହାସହିତ କୋର୍ଟ ସୂଚାଇଦେଇଛନ୍ତି ଯେ ଶୁଣାଣି ବେଳେ କୌଣସି ଧାର୍ମିକ କିମ୍ବା ରାଜେନତିକ ଯୁକ୍ତିକୁ ଶୁଣାଯିବ ନାହିଁ। ସେହିପରି ଏହି ମାମଲାରେ ଅନ୍ୟ ତୃତୀୟ ପକ୍ଷର ଆବେଦନକୁ ମଧ୍ୟ ବର୍ତ୍ତମାନ ଗ୍ରହଣ କରାଯିବ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି। ମାମଲା ସହ ଜଡ଼ିତ ସମସ୍ତ ପକ୍ଷ ପୂର୍ବରୁ ଦାଖଲ କରିଥିବା କାଗଜାତର ଇଂରାଜୀ ଅନୁବାଦ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରି କହିଛନ୍ତି ଯେ ଅଯୋଧ୍ୟାକୁ ନେଇ ଧାର୍ମିକ ବିବାଦ କିମ୍ବା ହିଂସାର ଇତିହାସ ଏହି ମାମଲାକୁ ପ୍ରଭାବିତ କରିପାରିବ ନାହିଁ। ମାମଲାର ଦୈନନ୍ଦିନ ଶୁଣାଣି ମଧ୍ୟ ହେବନାହିଁ। ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ସମେତ ୩୨ ଜଣ ବିଶିଷ୍ଟ ବ୍ୟକ୍ତି ଏଥିରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିବାରୁ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ମାମଲାଟି ଟାଇଟଲ ସୁଟ୍‌ ହୋଇଥିବାରୁ ସେମାନେ ଏଥିରେ କାହିଁକି ପକ୍ଷଭୁକ୍ତ ହେବାକୁ ଚାହୁଁଛନ୍ତି। ତେବେ ସେମାନଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ନାହାନ୍ତି କି ଅଗ୍ରାହ୍ୟ କରି ନାହାନ୍ତି।

ସୂଚନାଯୋଗ୍ୟ, ବାବ୍ରୀ ମସଜିଦ ନିର୍ମିତ ହୋଇଥିବା ୨.୭ ଏକର ପରିମିତ ଜମିର ସ୍ୱତ୍ୱାଧିକାରକୁ ନେଇ ସୁନ୍ନି ଓ୍ଵାକଫ ବୋର୍ଡ ଏବଂ ଅଖିଳ ଭାରତ ହିନ୍ଦୁ ମହାସଭା ମୁହାଁମୁହିଁ ହୋଇଛନ୍ତି। ଏହି ମାମଲା ପ୍ରଥମ ଥର ପାଇଁ ଆଲ୍ଲାହାବାଦ ହାଇକୋର୍ଟକୁ ଯିବା ପରେ ଅଦାଲତର ଏକ ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ୨୦୧୦ ସେପ୍ଟେମ୍ବର ୩୦ରେ ଉକ୍ତ ଜମିର ଭାଗବଣ୍ଟା ନେଇ ରାୟ ଶୁଣାଇଥିଲେ। ଖଣ୍ଡପୀଠ ବିଚାରପତିଙ୍କ ୨:୧ ଅନୁପାତରେ ଘୋଷିତ ଏହି ରାୟରେ ବିବାଦୀୟ ସ୍ଥଳର ୨.୭୭ ଏକର ଜମିକୁ ସେଠାରେ ସ୍ଥାପିତ ବିଗ୍ରହ ଶ୍ରୀରାମଲାଲା, ନିର୍ମୋହି ଆଖାଡ଼ା ଏବଂ ସୁନ୍ନି ଓ୍ଵାକଫ୍‌ ବୋର୍ଡ ମଧ୍ୟରେ ସମାନ ତିନି ଭାଗରେ ବାଣ୍ଟିଦେବା ଲାଗି କହିଥିଲେ। ତେବେ ଉକ୍ତ ରାୟକୁ ବିରୋଧ କରି ସେହି ବର୍ଷ ଡିସେମ୍ବର ମାସରେ ଶ୍ରୀରାମଲାଲାଙ୍କ ପକ୍ଷରୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ସୁନ୍ନି ଓ୍ଵାକଫ୍‌ ବୋର୍ଡ ପୃଥକ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହା ପରେ ଏହି ଜମି ଉପରେ ନିଜର ଅଧିକାର ଦାବି କରି ୧୨ ଜଣ ବ୍ୟକ୍ତିବିଶେଷ ଓ ସଂଗଠନ ମାମଲାର ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିଲେ।

ଆଜି ଉପସ୍ଥିତ ଥିବା ସମସ୍ତ ପକ୍ଷର ଯୁକ୍ତିକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର, ବିଚାରପତି ଅଶୋକ ଭୂଷଣ ଏବଂ ଏସ୍‌ ଅବ୍‌ଦୁଲ୍‌ ନାଜିରଙ୍କ ଖଣ୍ଡପୀଠ ଶୁଣିଥିଲେ। ଉଭୟ ପକ୍ଷ ନିଜର ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବା ସହ ଏହାକୁ ପ୍ରତିପକ୍ଷକୁ ଦେବା ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଓକିଲ ସି ଏସ୍‌ ବୈଦ୍ୟନାଥନ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ମାତ୍ର ସୁନ୍ନି ଓ୍ଵାକଫ୍‌ ବୋର୍ଡ ଓକିଲ ରାଜୀବ ଧାଓ୍ଵନ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସେହିପରି ପୂର୍ବରୁ ଦାଖଲ ହୋଇଥିବା ନଥିପତ୍ରଗୁଡ଼ିକର ଇଂରାଜୀ ଅନୁବାଦ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜମା କରିବାକୁ ସମସ୍ତ ପକ୍ଷଭୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁଣାଣିର ସମସ୍ତ ଭିିଡିିଓ ରେକର୍ଡିଂ ଦାଖଲ କରିବାକୁ କୋର୍ଟ ରେଜିଷ୍ଟ୍ରାରଙ୍କୁ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ସମ୍ପୃକ୍ତ ମାମଲାରେ ପକ୍ଷଭୁକ୍ତ ହୋଇନଥିବା ଆବେଦନଗୁଡ଼ିକୁ ପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିବା ସହ ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଧାର୍ଯ୍ୟ କରିଥିଲେ।

ସୂଚନା ଥାଉ କି, କିଛି ଦିନ ତଳେ ସୁନ୍ନି ଓ୍ଵାକଫ୍‌ ବୋର୍ଡ ଓକିଲ ରାଜୀବ ଧାଓ୍ଵନ ଓ କପିଲ ସିବଲ ମାମଲାର ଶୁଣାଣି ଲୋକସଭା ନିର୍ବାଚନ ପରେ କରାଇବା ଲାଗି ଏହାକୁ ଜୁଲାଇ ୨୦୧୯ ଯାଏଁ ଘୁଞ୍ଚାଇ ଦେବାକୁୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବିଜେପିର ନିର୍ବାଚନୀ ଘୋଷଣାପତ୍ରରେ ଥିବାରୁ ଏହାର ରାଜନୀତୀକରଣ ହେବ ବୋଲି ସେମାନେ ଦର୍ଶାଇଥିଲେ। ତେବେ ପ୍ରଧାନ ବିଚାରପତି ଏହି ଅନୁରୋଧକୁ ଗ୍ରହଣ ନକରି ସ୍ୱତନ୍ତ୍ର ଖଣ୍ଡପୀଠ ଦ୍ୱାରା ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର