ଅଯୋଧ୍ୟା ମାମଲା : ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଂଶ ମସ୍‌ଜିଦ୍ ନୁହେଁ

୧୯୯୪ ରାୟର ପୁନର୍ବିଚାର ହେବନାହିଁ, ବୃହତ୍ ଖଣ୍ଡପୀଠକୁ ଯିବନି ମାମଲା, ଶୁଣାଣି ଅକ୍ଟୋବର ୨୯ରେ

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମସ୍‌ଜିଦ୍ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥି‌େଲ ତାହାର ପୁନର୍ବିଚାର ନ କରିବାକୁ ଖଣ୍ଡପୀଠ କହିଛନ୍ତି। ଏଥିସହିତ ମାମଲାକୁ ବୃହତ୍ ବା ୫ ଜଣିଆ ସମ୍ବିଧାନ ପୀଠଙ୍କ ନିକଟକୁ ପଠାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

ବହୁମତ ଆଧାରରେ ସୁପ୍ରିମ୍ କୋର୍ଟଙ୍କ ତିନିଜଣିଆ ପୀଠ ଗୁରୁବାର ଏହି ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଅଶୋକ ଭୂଷଣଙ୍କ ବହୁମତ ଆଧାରରେ ଏହି ରାୟ ପ୍ରକାଶ ପାଇଥିଲା ବେଳେ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଭିନ୍ନ ମତ ପୋଷଣ କରିଛନ୍ତି। ମସଜିଦ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଂଶ କି ନୁହେଁ, ତାହା ସମ୍ବିଧାନ ପୀଠରେ ବିଚାର କରାଯିବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। ଉଲ୍ଲେଖ‌େଯାଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବେଳେ ମସ୍‌ଜି୍ଦ୍‌ ପ୍ରସଙ୍ଗ ଉଠିଥିଲା ଏବଂ ଏହା ଉପରେ ସୁପ୍ରିମ୍ କୋର୍ଟ ମସଜିଦ ଇସଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ରାୟ ଦେଇଥିଲେ।

ଅନ୍ୟପକ୍ଷରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଅକ୍ଟୋବର ୨୯ରେ ହେବ ଏବଂ ଏ ନେଇ ନୂଆ ତିନିଜଣିଆ ଖଣ୍ଡପୀଠ ଗଠନ କରାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚାଲେଞ୍ଜ୍‌ କରି ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟରେ ୧୯୯୪ ବେଳର ପ୍ରସଙ୍ଗ ଉଠିଥିଲା। ଏ ବାବଦରେ ସୁପ୍ରିମ୍ କୋର୍ଟ ନିଜ ପୂର୍ବ ରାୟକୁ କାଏମ୍ ରଖିଥିଲେ।

ଗୁରୁବାର ସୁପ୍ରିମ୍ କୋର୍ଟ ଖଣ୍ଡପୀଠ କହିଛନ୍ତି, ୧୯୯୪ ରାୟକୁ ପୁଣିଥରେ ସମୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ବୃହତ୍ ଖଣ୍ଡପୀଠଙ୍କ ନିକଟକୁ ପଠାଯିବା ବି ଦରକାର ନାହିଁ। ୧୯୯୪ରେ ଇସମାଇଲ ଫାରୁକି ମାମଲାର ବିଚାର କରି କୋର୍ଟ ମସ୍‌ଜିଦ୍‌ରେ ନମାଜ ପଢ଼ିବା ଇସଲାମର ଅଭିନ୍ନ ଅଂଶ ନୁହେଁ ବୋଲି ଦର୍ଶାଇଥିଲେ। ତେବେ ଏହା ଉପରେ ପୁନର୍ବିଚାର କରିବା ପାଇଁ ମୁସ୍‌ଲିମ୍‌ ପକ୍ଷମାନଙ୍କ ପକ୍ଷରୁ ଏକ ସାନି ଆବେଦନରେ ଅାଜି ସୁପ୍ରିମ୍ କୋର୍ଟ ପୂର୍ବ ରାୟକୁ କାଏମ ରଖିଛନ୍ତି।

ଅଯୋଧ୍ୟା ଜମି ବିବାଦ ଶୁଣାଣିରେ ୧୯୯୪ ରାୟ ପ୍ରତିବନ୍ଧକ ସାଜିଥିବା ବେଳେ ସୁପ୍ରିମକୋର୍ଟ ଆଜି ତାହାକୁ ହଟାଇ ଦେଇଛନ୍ତି। ଫଳରେ ଅଯୋଧ୍ୟା ଜମି ବିବାଦ ଶୁଣାଣି ଆରମ୍ଭ ଦିଗରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ହିନ୍ଦୁମାନଙ୍କ ପାଇଁ ଏହ‌ା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିବା ବେଳେ ମୁସ୍‌ଲିମ୍‌ ପକ୍ଷ ମଧ୍ୟ ଏହାକୁ ବେଶ୍‌ ସତର୍କତାର ସହ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର