ଅଯୋଧ୍ୟା ବିବାଦ ଟାଳିବାକୁ ସଂଖ୍ୟାଲଘୁ ଆୟୋଗ ମୁଖ୍ୟଙ୍କ ପ୍ରୟାସ : ହିନ୍ଦୁଙ୍କୁ ଜମି ଛାଡ଼ିବାକୁ ମୁସ୍‌ଲିମ୍‌ଙ୍କୁ ଆହ୍ଵାନ

ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ବିବାଦୀୟ ରାମ ଜନ୍ମଭୂମି-ବାବରି ମସ୍‌ଜିଦ ମାମଲାକୁ ସୁପ୍ରିମ୍‌କୋର୍ଟ କେବଳ ଏକ ଜମି ବିବାଦ ଭାବେ ବିଚାର କରିବେ ବୋଲି ଟିପ୍ପଣୀ କରିବା ପରେ ସମ୍ପ୍ରତି ବିଭିନ୍ନ ସ୍ତରରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ପ୍ରତ୍ୟହ ସାମନାକୁ ଆସୁଥିବା ବିଭିନ୍ନ ପ୍ରସ୍ତାବ ଉପରେ ସହମତି ମିଳିବା ପରିବର୍ତ୍ତେ ଏହା ଆହୁରି ଜଟିଳ ହେବାରେ ଲାଗିଛି। ବିବାଦୀୟ ସ୍ଥଳରୁ ଭଗ୍ନ ବାବରି ମସ୍‌ଜିଦ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ରଖି ସର୍ବ ଭାରତୀୟ ମୁସ୍‌ଲିମ୍‌ ଲ’ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ସୟଦ ସଲମାନ ହୁସେନ ନଦଓ୍ଵିଙ୍କୁ ସଦସ୍ୟତା ହରାଇବାକୁ ପଡ଼ିଛି।

ତେବେ ସେଠାରେ ମନ୍ଦିର ନ ତୋଳି ଏକ ବିଦ୍ୟାମନ୍ଦିର ଗଢ଼ିବାକୁ ମୁସ୍‌ଲିମ୍‌ ସମ୍ପ୍ରଦାୟର ସିଆ ଧର୍ମଗୁରୁ ମୌଲାନା କଲବେ ସାଦିକ୍‌ ପ୍ରସ୍ତାବ ଦେଇଥିବା ବେଳେ ମୁସ୍‌ଲିମ୍‌ମାନେ ସେମାନଙ୍କ ଜାଗା(ବିବାଦୀୟ)କୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରି ରାମ ମନ୍ଦିର ଗଢ଼ିବାରେ ସହାୟକ ହେବାକୁ ସଂଖ୍ୟାଲଘୁ ଆୟୋଗ ମୁଖ୍ୟ ଘାୟୋରୁଲ୍‌ ହାସନ ରିଜ୍‌ବି ଆହ୍ଵାନ କରିଛନ୍ତି। ଅପରପକ୍ଷେ, ମସ୍‌ଜିଦ୍‌ ପାଇଁ ଉଦ୍ଦିଷ୍ଟ ଜାଗାକୁ କୌଣସି ମତେ ଉପହାର କିମ୍ବା ବିକିବାକୁ ଦିଆଯିବନି ବୋଲି ମୁସ୍‌ଲିମ୍‌ ଲ’ ବୋର୍ଡ ସ୍ପଷ୍ଟ କରିିଛି।
ସଂଖ୍ୟା ଲଘୁ ଆୟୁକ୍ତ ରିଜ୍‌ବିଙ୍କ କହିବା କଥା, ଅଯୋଧ୍ୟାରେ ହିଁ ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିବାର ବିଶ୍ୱାସ ରହି ଆସିଛି। ସୁତରାଂ ଉକ୍ତ ସ୍ଥଳ ହିନ୍ଦୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷେ, ସେହି ବିବାଦୀୟ ସ୍ଥଳରେ ନମାଜ ପାଠ ହେଉନଥିବା ଜଣା ଅଛି। ଏପରିକି ସେଠାରେ ମସ୍‌ଜିଦ୍‌ ନିର୍ମାଣ ହେଲେ ବି କେହି ସେଠାକୁ ନମାଜ ପାଇଁ ଯିବେନାହିଁ। ତେଣୁ ମୁସ୍‌ଲିମ୍‌ ଭାଇମାନେ ନିଜର ଉଦାର ହୃଦୟର ପ୍ରମାଣ ପୂର୍ବକ ଉକ୍ତ ଜାଗାକୁ ହିନ୍ଦୁ ଭାଇମାନଙ୍କ ପାଇଁ ଛାଡ଼ିଦେବା ଉଚିତ। ତାହା ହିଁ ହିନ୍ଦୁ-ମୁସଲ୍‌ମାନ ସମ୍ପର୍କରେ ଏକ କିମ୍ବଦନ୍ତୀ ହୋଇ ରହିବ ବୋଲି ରିଜ୍‌ବି କହିିଛନ୍ତି।
ଅପରପକ୍ଷେ, ଏପରି ପରିସ୍ଥିତିରେ ମସ୍‌ଜିଦ୍‌ କେବେହେଲେ ସାଲିସ୍‌ କରିବାର ବିଷୟବସ୍ତୁ ହେବନାହିଁ ବୋଲି ସର୍ବ ଭାରତୀୟ ମୁସ୍‌ଲିମ୍‌ ଲ’ ବୋର୍ଡ କହିିଛି। ଯେଉଁଠି ଦିନେ ମସ୍‌ଜିଦ୍‌ଟିଏ ରହିଥିଲା, ସେଠାରେ ସବୁଦିନ ପାଇଁ ହିଁ ତାହା ମସ୍‌ଜିଦ୍‌ ହୋଇ ରହିବ। ସେଠାରେ ଅନ୍ୟ ଧର୍ମର ପୂଜାପାଠ ପାଇଁ ମସ୍‌ଜିଦ୍‌କୁ ହଟାଇବାର ଅଧିକାର ସରିଆତ୍‌ ଆଇନ ଦେଇନାହିଁ ବୋଲି ବୋର୍ଡ କହିଛି।

ସମ୍ବନ୍ଧିତ ଖବର