ଅଯୋଧ୍ୟାର ରାମ ଜନ୍ମଭୂମି ଏବଂ ବାବ୍‌ରି ମସ୍‌ଜିଦ ଜମି ବିବାଦ : ୫୦୦ ବର୍ଷ ଧରି ହୋଇ ପାରୁନି ସମାଧାନ

ନୂଆଦିଲ୍ଲୀ : ଦେଶର ସବୁଠାରୁ ସମ୍ବେଦନଶୀଳ ତଥା ଚର୍ଚିତ ମାମଲା ହେଉଛି ଅଯୋଧ୍ୟା ଜମି ବିବାଦ। ସୁପ୍ରିମ୍‌ କୋର୍ଟରେ ଏହି ମାମଲାର ଶୁଣାଣି ଆଜି ଶେଷ ହୋଇଛି ଏବଂ ସମଗ୍ର ବିଶ୍ବ ଏହି ମାମଲାର ରାୟକୁ ଅପେକ୍ଷା କରିଛି। ଅଯୋଧ୍ୟାରେ ରାମ ଜନ୍ମଭୂମି ଏବଂ ବାବ୍‌ରି ମସ୍‌ଜିଦର ମାଲିକାନା ହକ୍‌କୁ ନେଇ ଚାଲିଥିବା ବିବାଦ ପ୍ରାୟ ୫ ଶହ ବର୍ଷ ପୁରୁଣା। ଏହି ବିବାଦର ଆରମ୍ଭ ୧୫୨୮ରେ ହୋଇଥିଲା, ଯେତେବେଳେ ମୋଗଲ ଶାସକ ବାବର ରାମ ମନ୍ଦିରକୁ ଧ୍ବଂସ କରି ସେଠାରେ ମସ୍‌ଜିଦ୍‌ ନିର୍ମାଣ କରିଥିଲେ। ଏହି କାରଣରୁ ଏହି ମସ୍‌ଜିଦ୍‌କୁ ବାବ୍‌ରି ମସ୍‌ଜିଦ୍‌ ବୋଲି କୁହାଯାଉଛି । ହିନ୍ଦୁ ଏବଂ ମୁସ୍‌ଲିମ ପକ୍ଷ ବିବାଦୀୟ ସ୍ଥଳର ମାଲିକାନା ଅଧିକାରକୁ ନେଇ ଆଜି ପର୍ଯ୍ୟନ୍ତ ଲଢ଼େଇ କରି ଆସୁଛନ୍ତି। ଏହାକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ବାବଧାନରେ ମଧ୍ୟସ୍ଥତା ପ୍ରୟାସ ମଧ୍ୟ ଫେଲ୍‌ ମାରିଛି। ମାଲିକାନା ଅଧିକାରକୁ ନେଇ ବିବାଦ ୧୮୧୩ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଜଟିଳ ବିବାଦର ସମାଧାନ ପନ୍ଥା ବାହାରି ପାରୁନଥିଲା। ହିନ୍ଦୁମାନେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସ୍ଥାପନ ପାଇଁ ସ୍ବର ଉତ୍ତୋଳନ କରିବାରୁ ମାମଲା ଚର୍ଚ୍ଚାକୁ ଆସିଥିଲା।

ଅଯୋଧ୍ୟା ମାମଲାର ଘଟଣାକ୍ରମ

୧୫ ଅକ୍ଟୋବର, ୨୦୧୯: ଅଯୋଧ୍ୟା ମାମଲାର ଶୁଣାଣି ୧୬ ଅକ୍ଟୋବର ୨୦୧୯ ସୁଦ୍ଧା ଶେଷ କରିବା ପାଇଁ ସୁପ୍ରିମ୍‌ କୋର୍ଟର ସମ୍ବିଧାନ ପୀଠ ସୀମା ଧାର୍ଯ୍ୟ କଲେ।
୬ ଅଗଷ୍ଟ ୨୦୧୯: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟରେ ନିୟମିତ ଶୁଣାଣି ଆରମ୍ଭ ହେଲା।
୮ ମାର୍ଚ, ୨୦୧୯: ସୁପ୍ରିମ୍‌ କୋର୍ଟ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀରାମ ପଞ୍ଚୁ ଏବଂ ଜଷ୍ଟିସ୍‌ ଏଫ୍‌ଏମ୍‌ କଲିଫୁଲ୍ଲାଙ୍କୁ ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପାଇଁ ନିଯୁକ୍ତ କଲେ।
୧୦ ଜାନୁଆରି ୨୦୧୯: ମୁସ୍‌ଲିମ୍‌ ପକ୍ଷର ଓକିଲ ରାଜୀବ ଧୱନଙ୍କ ଆପତ୍ତି ଯୋଗୁଁ ଜଷ୍ଟିସ୍‌ ୟୁ ୟୁ ଲଳିତ ଶୁଣାଣି ପ୍ରକ୍ରିୟାରୁ ଓହରିଗଲେ। ୧୯୯୪ରେ ଜଷ୍ଟିସ୍‌ ଲଳିତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ମାମଲା ଲଢ଼ିଥିବାରୁ ତାଙ୍କୁ ସମ୍ବିଧାନ ପୀଠରେ ବିରୋଧ କରିଥିଲେ ଧୱନ।
୨୭ ଜାନୁଆରି ୨୦୧୮: ମସ୍‌ଜିଦ୍‌ ଇସ୍‌ଲାମର ଅଭିନ୍ନ ଅଙ୍ଗ ନୁହେଁ ବୋଲି ରାୟ ଦେଲେ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର।
୯ ମେ ୨୦୧୧: ସୁପ୍ରିମ୍‌ କୋର୍ଟ ଆହ୍ଲାବାଦ ହାଇକୋର୍ଟ ଦ୍ବାରା ବିବାଦୀୟ ସ୍ଥଳକୁ ୩ ଭାଗରେ ବାଣ୍ଟିବା ପାଇଁ ଦେଇଥିବା ଆଦେଶ ଉପରେ ରୋକ ଲଗାଇଲେ।
୨୦ ମେ ୨୦୧୦: ବିବାଦୀୟ ବାବ୍ରି ମସ୍‌ଜିଦ୍‌ ଧ୍ବଂସ ମାମଲାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଅପରାଧିକ ମକଦ୍ଦମା ଚଳାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ।
ମେ ୨୦୦୩: ସିବିଆଇ ୧୯୯୨ ବାବ୍‌ରି ମସ୍‌ଜିଦ୍‌ ଧ୍ବଂସ ମାମଲାରେ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କଲା।
୧୩ ମାର୍ଚ, ୨୦୦୨: ବିବାଦୀୟ ସ୍ଥଳରେ ଯଥାସ୍ଥିତି କାଏମ ରଖିବା ଏବଂ ଶିଳାପୂଜନ ନ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଲେ।
୬ ଡିସେମ୍ବର ୧୯୯୨: ଅଯୋଧ୍ୟାର ବିବାଦୀୟ ବାବ୍‌ରି ମସ୍‌ଜିଦ୍‌କୁ ହଜାର ହଜାର ଜନତା ଧ୍ବଂସ କଲେ। ଏହାକୁ ନେଇ ଦେଶ ବ୍ୟାପୀ ହିନ୍ଦୁ-ମୁସ୍‌ଲିମ୍‌ ଦଙ୍ଗା ଆରମ୍ଭ ହେଲା।
୧୮୫୩: ପ୍ରଥମ ଥର ପାଇଁ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା।
୧୫୨୮: ରାମ ମନ୍ଦିର ଧ୍ବଂସ କରି ବାବର ସେଠାରେ ମସ୍‌ଜିଦ୍‌ ନିର୍ମାଣ କରିଥିଲେ।

ସମ୍ବନ୍ଧିତ ଖବର