ଅଯୋଧ୍ୟା ଆନ୍ଦୋଳନ ନେତାଙ୍କ ଯୁଗ ଶେଷ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଜନ୍ମଭୂମି ଓ ବାବ୍ରୀ ମସଜିଦ ଆନ୍ଦୋଳନ‌ର ନେତୃତ୍ବ ନେଇଥିବା ଅଧିକଂାଶ ନେତାଙ୍କୁ ଏଥର ନିର୍ବାଚନ‌େର ଦେଖିବାକୁ ମିଳିବ ନାହିଁ। ସେମାନଙ୍କ ମଧ୍ୟରେ ଅଛନ୍ତି ଏଲ୍‌କେ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ ଓ ବିନୟ କଟିଆର। ଗତ ୩୦ ବର୍ଷରେ ଏହା ହେବ ପ୍ରଥମ ନିର୍ବାଚନ ଯେଉଁଥିରେ ଏହି ନେତାମ‌‌ାନେ ଅନୁପସ୍ଥିତ ରହିବେ।
ଏହି ନେତାମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ବିଜେପି ଟିକଟ ଦେଇ ନଥିବା ବେଳେ ଆଉ କିଛି ନେତା ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଆଡ଼ଭାନୀ, ଯୋଶୀ ଓ କଟିଆରଙ୍କୁ ଟିକଟ ମିଳି ନଥିବା ବେଳେ ଉମା ଭାରତୀ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ସେହିଭଳି ଅନ୍ୟତମ ନେତା କଲ୍ୟାଣ ସିଂହ ଏବେ ରାଜସ୍ଥାନର ରାଜ୍ୟପାଳ ଅଛନ୍ତି।
୧୯୮୦ ଦଶକର ଶେଷ ଭାଗ ଏବଂ ୧୯୯୦ ଦଶକର ପ୍ରଥମ ଭାଗରେ ଅଯୋଧ୍ୟା ଆନ୍ଦୋଳନ ଜୋର ଧରିଥିଲା। ବାବ୍ରୀ ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ବିଜେପିର ପୂର୍ବତନ ସଭାପତି ଲାଲକୃଷ୍ଣ ଆଡ଼ଭାନୀ। ୧୯୯୦ ସେପ୍ଟେମ୍ବର-ଅକ୍ଟୋବରରେ ଆଡ଼ଭାନୀ ଏଥିଲାଗି ରଥଯାତ୍ରା ବାହାର କରିଥିଲେ ଏବଂ ଗିରଫ ମଧ୍ୟ ହୋଇଥିଲେ। ଏହି ଆନ୍ଦୋଳନର ଅନ୍ୟତମ ନେତା ଯୋଶୀ ମଧ୍ୟ ୧୯୯୧ ଏବଂ ୧୯୯୩ରେ ବିଜେପିର ସଭାପତି ଥିଲେ। ଟିକଟ କଟିବା ସଂପର୍କରେ ଆଡ଼ଭାନୀ ମୁହଁ ଖୋଲିନଥିବା ବେଳେ ଉମା ଭାରତୀ ତାଙ୍କ ପାଇଁ ଓକିଲାତି କରିଛନ୍ତି। କହିଛନ୍ତି ଯେ ଦଳ ତାଙ୍କୁ ଅପମାନିତ କରିଛି। ଅନ୍ୟପକ୍ଷରେ ଯୋଶୀ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନ ନଲଢ଼ିବାକୁ ତାଙ୍କୁ ପାର୍ଟି ପକ୍ଷରୁ କୁହାଯାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ‌େଯ ୧୯୯୨ରେ ବାବ୍ରୀ ମସଜିଦ ଭଙ୍ଗା ଯାଉଥିବା ବେଳେ ସେଠାର ଉପସ୍ଥିତ ଥିବା ଉମାଙ୍କ ଭୂମିକାକୁ ଲିବରହାନ କମିସନ୍ ଭର୍ତ୍ସିତ କରିଥିଲେ। ଏବେ କେନ୍ଦ୍ର ମନ୍ତ୍ରୀ ଥିବା ଉମା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ‌ତେବେ ୧୯୯୦ରେ କରସେବାରେ‌ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବଜରଙ୍ଗ ଦଳର ପ୍ରତିଷ୍ଠାତା ସଭାପତି ତଥା ବିଜେପି ନେତା ବିନୟ କାଟିଆରଙ୍କୁ ମଧ୍ୟ ଏଥର ଟିକଟ ମିଳିବ ନାହିଁ।

ସମ୍ବନ୍ଧିତ ଖବର