ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ଅଯୋଧ୍ୟା, ୧୫ ହଜାର ଅତିରିକ୍ତ ଯବାନ ମୁତୟନ

ସମାଧାନ ପ୍ରସ୍ତାବ ଦେଲା ସୁନ୍ନି ୱକଫ ବୋର୍ଡ

ଅଯୋଧ୍ୟା: ରାମ ଜନ୍ମଭୂମିର ମାଲିକାନା ଅଧିକାରକୁ ନେଇ ସୁପ୍ରିମ୍‌ କୋର୍ଟରେ ୪୦ ଦିନ ଧରି ଚାଲିଥିବା ନିୟମିତ ଶୁଣାଣିର ଗତକାଲି ପରିସମାପ୍ତି ଘଟିଛି। ଏହା ସହିତ ଅଯୋଧ୍ୟାରେ ଏକ ନୂଆ ଅଧ୍ୟାୟ ଅରମ୍ଭ ହେବାକୁ ଯାଉଛି। ନଭେମ୍ବର ୪ରୁ ୧୭ ତାରିଖ ମଧ୍ୟରେ ଯେ କୌଣସି ସମୟରେ ଅଯୋଧ୍ୟା ମାମଲାରେ ରାୟ ଆସିବାକୁ ଥିବାରୁ ଏବେ ଅଗ୍ନି ପରୀକ୍ଷା ପାଇଁ ଅଯୋଧ୍ୟା ପ୍ରସ୍ତୁତ ହେଉଛି। ରାମ ମନ୍ଦିର ଆନ୍ଦୋଳନ ପରେ ଅଯୋଧ୍ୟାରେ ପ୍ରତିବର୍ଷ ବାବ୍ରି ମସ୍‌ଜିଦ ଧ୍ବଂସର ବାର୍ଷିକୀରେ ଅଯୋଧ୍ୟା ସୌହାର୍ଦ୍ୟ ଏବଂ ସଦ୍‌ଭାବନାର ପରୀକ୍ଷା ଦେଇ ଆସିଛି। ତେବେ ଏଥର ଅଯୋଧ୍ୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସହରରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାକୁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତିରିକ୍ତ ୧୫ ହଜାର ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କୁ ଅଯୋଧ୍ୟାରେ ମୁତୟନ କରାଯାଇଛି। ସମଗ୍ର ସହର ସୁରକ୍ଷା ଦୃଷ୍ଟିରୁ ଏକ ଦୁର୍ଗରେ ପରିଣତ ହୋଇଥିବା ବେଳେ ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସହରରେ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଅଯୋଧ୍ୟା ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ମଧ୍ୟ ସୁନ୍ନି ୱକଫ୍‌ ବୋର୍ଡ କେତେକ ପଦକ୍ଷେପ ଗ୍ରହଣ କରିଛି। ୱକଫ୍‌ ବୋର୍ଡ ବିବାଦୀୟ ଅଂଚଳରେ କୌଣସି ଜମିର ମାଲିକାନା ହକ୍‌ ଦାବି କରିବ ନାହିଁ ବୋଲି ପ୍ରସ୍ତାବ ଦେବା ସହ ଏ ଦିଗରେ ସମାଧାନ ପାଇଁ ପ୍ରସ୍ତାବ ରଖିଛି । ଅନ୍ୟତ୍ର ମସ୍‌ଜିଦ୍‌ ନିର୍ମାଣ ପାଇଁ ମଧ୍ୟ ୱକର୍ଫ ବୋର୍ଡ ରାଜି ଥିବା ଜଣାପଡ଼ିଛି। ଆଜି ବୋର୍ଡର ଓକିଲ କହିଛନ୍ତି ଯେ ଜମି ବିବାଦର ସ୍ଥାୟୀ ସମାଧାନ ପାଇଁ ମଧ୍ୟସ୍ଥତା କମିଟିକୁ ବୋର୍ଡ ପକ୍ଷରୁ ବୁଝାମଣା ପ୍ରସ୍ତାବ ଦିଆଯାଇଛି ଏବଂ ହିନ୍ଦୁ ପକ୍ଷର ମଧ୍ୟ ଏଥିପ୍ରତି ସମର୍ଥନ ରହିଛି। ତେବେ ଏଥିରେ କିଛି ସର୍ତ୍ତ ରହିଛି ବୋଲି ମଧ୍ୟ ୱକର୍ଫ ବୋର୍ଡ ଓକିଲ ସାହିଦ୍‌ ରିଜ୍‌ଭି କହିଛନ୍ତି। ଜମି ବିବାଦ ଏକ ଅପରାଧିକ ମାମଲା ନଥିବାରୁ ବୁଝାମଣା ଦ୍ବାରା ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବୋର୍ଡ ଗୁରୁତ୍ବ ଦେଇଥିବା ରିଜ୍‌ଭି କହିଛନ୍ତି।

ସମ୍ବନ୍ଧିତ ଖବର