ଅଯୋଧ୍ୟା ରାୟ: ଏଏସ୍‌ଆଇର ଖନନ ସମୟରେ ମିଳିଥିଲା ‘ପୂର୍ଣ୍ଣ କଳସ’,‘ପାଣି ପାତ୍ର’, ‘ଅଷ୍ଟମଙ୍ଗଳ ଚିହ୍ନ’, ଓ ‘ଦେବାଦେବୀଙ୍କ ମୂର୍ତ୍ତି’

ଅଯୋଧ୍ୟା: ଅଯୋଧ୍ୟାରେ ବିରାଟ ରାମ ମନ୍ଦିର ଥିଲା ବୋଲି ଭାରତୀୟ ପୁରାତତ୍ୱ ସର୍ବକ୍ଷେଣ(ଏଏସ୍‌ଆଇ) କରିଥିବା ସର୍ବେକ୍ଷଣରୁ ନିକଟରେ ଜାଣିବାକୁ ମିଳିଥିଲା। ଏଏସ୍‌ଆଇର ପୂର୍ବନତ ନିର୍ଦ୍ଦେଶକ(ଉତ୍ତର) କେକେ ମହମ୍ମଦ ସୂଚନା ଦେଇ କହିଥିଲେ ଯେ ଅଯୋଧ୍ୟାରେ ଅତୀତରେ ଏକ ବିରାଟ ରାମ ମନ୍ଦିର ଥିଲା ବୋଲି ପ୍ରମାଣ ମିଳିସାରିଛି।

୧୯୭୬-୭୭ ମସିହାରେ ଏଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ବିବି ଲାଲ୍‌ଙ୍କ ତତ୍ୱାବଧାନରେ ହୋଇଥିବା ପ୍ରଥମ ଖନନ ପ୍ରକ୍ରିୟାରେ କେକେ ମହମ୍ମଦ ସାମିଲ୍‌ ଥିଲେ। ସେ ଥିଲେ ସେ ସମୟର ଖନନ ଦଳ ମଧ୍ୟରୁ ଏକମାତ୍ର ମୁସ୍‌ଲମାନ। ଦ୍ୱିତୀୟ ଥର ପାଇଁ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠର ନିର୍ଦ୍ଦେଶ କ୍ରମେ ୨୦୦୩ ମସିହାରେ ଖନନ ହୋଇଥିଲା। ସେ ସମୟର ଖନନ କାର୍ଯ୍ୟ ବେଳେ ଭିଡିଓଗ୍ରାଫି କରାଯାଇଥିଲା, ଯେଉଁଥିରେ କି ଏକ ମନ୍ଦିରର ଅନେକ ସଂକେତ ଦେଖିବାକୁ ମିଳିଥିଲା।

ନିକଟରେ ଗଣମାଧ୍ୟମରେ ସୂଚନା ଦେଇ କେକେ ମହମ୍ମଦ କହିଥିଲେ, ‘ଖନନ ସମୟରେ ଆମେ ଭିତରକୁ ଗଲା ପରେ ଏକ ମସ୍‌ଜିଦ୍‌ର ୧୨ଟି ଖମ୍ବ ଦେଖିବାକୁ ପାଇଲୁ, ଯାହାକି ଏକ ମନ୍ଦିରରୁ ତିଆରି ହୋଇଛି। ସେଠାରେ ‘ପୂର୍ଣ୍ଣ କଳସ’ ଥିଲା। ଭଗବାନଙ୍କ ଉପରେ ଛିଞ୍ଚା ଯାଉଥିବା ‘ପାଣି ପାତ୍ର’, ‘ଅଷ୍ଟମଙ୍ଗଳ ଚିହ୍ନ’, ଏବଂ ଅନେକ ‘ଦେବାଦେବୀଙ୍କ ମୂର୍ତ୍ତି’ ଦେଖିବାକୁ ପାଇଲୁ। ଏପରି ସମାନ ଜିନିଷ ବାବରୀ ମସ୍‌ଜିଦ୍‌ରେ ବି ଅଛି। ସେଠାରେ ‘ଅଷ୍ଟମଙ୍ଗଳ ଚିହ୍ନ’ ଅଛି ମାତ୍ର ‘ଦେବାଦେବୀ’ ନାହାନ୍ତି।’

ସେଠାରେ କେତେକ ପୂରାତନ ‘ମୂର୍ତ୍ତି’ ବି ରହିଛି। ଯଦି ଏହା ମସ୍‌ଜିଦ୍‌ ହୋଇଥାନ୍ତା ତେବେ ସେଠାରେ ମଣିଷ ଓ ପଶୁଙ୍କର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନଥାନ୍ତା। କାରଣ ଇସ୍‌ଲାମବାଦ୍‌ ଜୀବନ୍ତ ବିଶ୍ୱାସ ରଖେ ନାହିଁ। ମାତ୍ର ଏ ସବୁକୁ ବିବି ଲାଲ୍‌ ବିଶେଷ ଗୁରୁତ୍ୱ ଏଥିପାଇଁ ଦେଇନଥିଲେ ଯେ ଆମେ ସେଠାରେ ମନ୍ଦିର ବା ମସ୍‌ଜିଦ୍‌ର ଖୋଜ୍‌ କରିବାକୁ ଯାଇନଥିଲୁ। ଆମେ କେବଳ ସେହି ସ୍ଥାନର ସାଂସ୍କୃତିକ ଅନୁକ୍ରମକୁ ଦେଖିବାକୁ ଯାଇଥିଲୁ ବୋଲି କେକେ ମହମ୍ମଦ କହିଥିଲେ।

ଦ୍ୱିତୀୟ ଖନନ ସମୟରେ ୫୦ରୁ ଊର୍ଧ୍ୱ ‘ଖମ୍ବ’, ୧୭ଟି ‘ଧନୁ’ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ବାବରୀ ମସ୍‌ଜିଦ୍‌ ପୂର୍ବରୁ ଦ୍ୱାଦଶ ଶତାବ୍ଧୀ ବେଳେ ସେଠାରେ ଏକ ମନ୍ଦିର ଥିଲା। ମାଆ ଗଙ୍ଗାଙ୍କ ସଂକେତ ଦେଉଥିବା କୁମ୍ଭୀର ମୁହଁର ସେଠାରେ ଏକ ‘ମକର ପ୍ରଣାଳୀ’ ଥିଲା, ଯେଉଁଥିରେ ଭଗବାନଙ୍କ ଜଳାଭିଷେକ କରାଯାଏ। ଦେଖିବାକୁ ମିଳିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା ରାବଣ ବଦ୍ଧ ଓ ବାଳୀ ବଦ୍ଧ ସମୟରେ ଭଗବାନଙ୍କ ଦୁଇଟି ମୂର୍ତ୍ତି। ଏ ସବୁ ତଥ୍ୟ ସେଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ପ୍ରମାଣିତ କରିବାକୁ ଯଥେଷ୍ଟ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର