ପୁଲ୍‌ଓ୍ଵାମା ଆକ୍ରମଣ ଲାଗି ପାକିସ୍ତାନର ସେନା ହସ୍‌ପିଟାଲ୍‌ରୁ ନିର୍ଦେଶ ଦେଇଥିଲେ ଆଝାର

ଶ୍ରୀନଗର: ପାକିସ୍ତାନର ରାଓ୍ଵଲପିଣ୍ଡିସ୍ଥିତ ସେନା ହସ୍‌ପିଟାଲ୍‌ରୁ ପୁଲ୍‌ଓ୍ଵାମା ସିଆର୍‌ପିଏଫ୍‌ ବସ୍‌ ଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ କରାଇବାକୁ ନିର୍ଦେଶ ଦେଇଥିଲେ ଜୈସ୍‌-ଏ- ଅହମ୍ମଦ୍‌ର ମୁଖ୍ୟ ତଥା ପଠାନକୋଟ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ମସୁଦ ଆଝାର। କୌଣସି ଦୁଃସାଧ୍ୟ ରୋଗରେ ପଡ଼ି ସେ ଗତ ୪ ମାସ ହେବ ସେଠାରେ ଚିକିତ୍ସାଧୀନ ଅଛନ୍ତି।

ତାଙ୍କର ଅସୁସ୍ଥତା ଯୋଗୁଁ ଭାରତ ବିରୋଧରେ ବ୍ୟବହାର କରାଯାଉଥିବା ପାକିସ୍ତାନ ପ୍ରାୟୋଜିତ ଜେହାଦୀ ଦଳଗୁଡ଼ିକର ସଂଗଠନ ‘ୟୁନାଇଟେଡ୍‌ ଜିହାଦ୍‌ କାଉନ୍‌ସିଲ୍‌’ର ଗତ ଛଅଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଅନୁପସ୍ଥିତ ରହିଥିଲେ। କିନ୍ତୁ, ପୁଲ୍‌ଓ୍ଵାମା ଆକ୍ରମଣର ଆଠ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଆଝାର କ୍ଷୀଣ ସ୍ୱରରେ ଏକ ଅଡିଓ ମେସେଜ୍‌ ରିଲିଜ୍‌ କରିଥିଲେ। ପୁତୁରା ଉସ୍‌ମାନ୍‌ ମୃତ୍ୟୁର ପ୍ରତିଶୋଧ ନେବାକୁ ଆଝାର ତାଙ୍କ ଲୋକମାନଙ୍କୁ କହୁଥିବାର ଏହି ଅଡିଓ ମେସେଜ୍‌ରେ ଶୁଣାଯାଉଥିଲା। ଟ୍ରାଲ୍‌ ଠାରେ ଗତ ଅକ୍ଟୋବର ମାସରେ ଉସ୍‌ମାନ୍‌ ନିରାପତ୍ତା ବଳଙ୍କ ଦ୍ୱାରା ନିହତ ହୋଇଥିଲା। ଆଝାର କହିଥିଲେ: ଏହି ଯୁଦ୍ଧରେ ମୃତ୍ୟୁ ବରଣ କରିବା ଠାରୁ ଆନନ୍ଦ ଆଉ କିଛି ନାହିଁ।

ସଦ୍ୟତମ ଆକ୍ରମଣ ଯୋଜନା ସଂକ୍ରାନ୍ତରେ ଆଝାର ୟୁନାଇଟେଡ୍‌ ଜେହାଦ୍‌ କାଉନ୍‌ସିଲ୍‌ର ଅନ୍ୟ ଦଳଗୁଡ଼ିକୁ କହି ନ ଥିଲେ। ଆଇଇଡି ବିସ୍ଫୋରକ ଦ୍ୱାରା ଫିଦାୟିନ୍‌ ଆକ୍ରମଣ ଲାଗି କଶ୍ମୀର ଉପତ୍ୟକାର ତରୁଣମାନଙ୍କ ବ୍ରେନଓ୍ଵାସ୍‌ କରିବାକୁ ଏହି ଅଡିଓ ବ୍ୟବହାର କରିବାକୁ ସେ ଗୋପନରେ ପୁତୁରା ମହମ୍ମଦ ଉମୈର୍‌ ଓ ଅବ୍‌ଦୁଲ୍‌ ଗାଜିଙ୍କୁ ମୁତୟନ କରିଥିଲେ।

କଶ୍ମୀରର ଜଣେ ବଡ଼ ଗୁଇନ୍ଦା ଅଧିକାରୀ କହିଛନ୍ତି: ଜୈସ୍‌-ଏ-ମହମ୍ମଦ୍‌ର କୌଣସି ଲୋକେ ପଦାକୁ ଆସି ନାହାନ୍ତି। ସେମାନେ ଦକ୍ଷିଣ କଶ୍ମୀରରେ ତିନି ଜଣ ରିଙ୍ଗ୍‌ ଲିଡର୍‌- ଉମୈର୍‌, ଇସ୍‌ଲାମି ଏବଂ ଅବ୍ଦୁଲ୍‌ ରଶିଦ ଗାଜିଙ୍କ ସହ ଆତ୍ମଗୋପନ କରିଛନ୍ତି। କଶ୍ମୀରରେ ଅଭିଯାନ ଚଳାଇଥିବା ପ୍ରାୟ ୬୦ ଜୈସ୍‌ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ଜଣ ପାକିସ୍ତାନୀ ହୋଇଥିବା ବେଳେ ବାକି ସ୍ଥାନୀୟ ଅଧିବାସୀ।

ସମ୍ବନ୍ଧିତ ଖବର