ଭଣ୍ଡ ବାବାଙ୍କ ଗୁରୁ ବାହାରିଲେ ବାବା ବୀରେନ୍ଦ୍ର ବ୍ରେନ୍‌ଓ୍ଵାସ୍‌ : ବାବାଙ୍କୁ ହିଁ ଈଶ୍ୱର ମାନୁଥିଲେ ଯୁବତୀ

ଉଦ୍ଧାର ହେଲେ ଆଉ ୫ ନାବାଳିକା:ଏଲ୍‌ ଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବାବା ବୀରେନ୍ଦ୍ର ଦିକ୍ଷୀତଙ୍କ ଅପକର୍ମ ସବୁ ସୀମା ଲଂଘିଛି। ଦେଶର ଅନ୍ୟ ଭଣ୍ଡ ବାବାଙ୍କ ଅପେକ୍ଷା ବୀରେନ୍ଦ୍ରଙ୍କ କାରନାମା ଅତି ଘୃଣ୍ୟ ଓ ଏବଂ ବର୍ବୋରୋଚିତ ବୋଲି ଜଣାପଡ଼ିଛି। ରବିବାର ଦିଲ୍ଲୀର ଦ୍ୱାରକାସ୍ଥିତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଆଶ୍ରମ ପରିସରରୁ ଆଉ ୫ ଜଣ ନାବାଳିକାକୁ ପୁଲିସ ଉଦ୍ଧାର କରିଛି। ଆଧ୍ୟାତ୍ମ ଶିକ୍ଷା ବାହାନାରେ ଯୌନ ପିପାସା ମେଣ୍ଟାଇବା ଏବଂ ବଡ଼ ଧରଣର ସେକ୍ସ ର‍୍ୟାକେଟ ଚଳାଇଥିବା ବୀରେନ୍ଦ୍ରଙ୍କୁ ନେଇ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି ହୋଇଛି । ଆଜି ସୁଦ୍ଧା ୧୧୫ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହା ଦିଲ୍ଲୀ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଉଦ୍ଧାର ହୋଇଥିବା ଅଧିକାଂଶ ଯୁବତୀଙ୍କୁ ଏଭଳି ବ୍ରେନ୍‌ଓ୍ଵାସ୍‌ କରାଯାଇଛି ଯେ ସେମାନେ ଏବେ ବି ଭଣ୍ଡା ବାବା ବୀରେନ୍ଦ୍ରଙ୍କୁ ହିଁ ଈଶ୍ୱର ବୋଲି ମାନୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ଵାଲ ବାବା ବୀରେନ୍ଦ୍ରଙ୍କ ପାପା ସାମ୍ରାଜ୍ୟ ନେଇ କ୍ଷୋଭ ପ୍ରକାଶ କରିବା ସହ ଉପ ଜିଲ୍ଲାପାଳ ଅନିଲ ବୈଜଲଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସଦ୍ୟ ଉଦ୍ଧାର ହୋଇଥିବା ଏହି ନାବାଳିକାଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ କେଉଁଠୁ ଓ କିପରି ଆସିଥିଲେ ତାହା ଜଣାପଡ଼ି ନାହିଁ। ସିବିଆଇ ତୁରନ୍ତ ଏସବୁ ଆଶ୍ରମ ସିଲ କରି ଘଟଣାର ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ କହିଛନ୍ତି। ବାବା ବୀରେନ୍ଦ୍ରଙ୍କ ଏହି କାରନାମା ପଛରେ କେଉଁ ରାଜନେତା ଓ ପୁଲିସ୍‌ର ହାତ ରହିଛି ତାହା ମଧ୍ୟ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଇନ୍‌ଜୀବୀ ଓ ଦିଲ୍ଲୀ ମହିଳା କମିସନର ଏକ କମିଟି ଗଠନ କରାଯାଇ ଆଶ୍ରମଗୁଡ଼ିକର ଯାଞ୍ଚ ଚାଲିଛି। କମିଟିର ରିପୋର୍ଟ ମୁତାବକ ମହିଳାଙ୍କୁ ପଶୁତୁଲ୍ୟ ଲୁହା ଶିକୁଳିରେ ବାନ୍ଧି ରଖି ଘୋର ମାନସିକ ଓ ଶାରିରୀକ ଯନ୍ତ୍ରଣା ଦିଆଯାଉଥିଲା। ଆଶ୍ରମ ଓ ଏହାର କର୍ମକର୍ତ୍ତାଙ୍କ ବିରୋଧରେ ୧୦ଟି ମାମଲା ରୁଜୁ ହେବା ପରେ ଏହି ଘଟଣାକୁ ଗମ୍ଭୀରତାର ସହ ନେବା ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରମ ପରିସରରେ ମହିଳାଙ୍କ ହତ୍ୟା ବା ଆତ୍ମହତ୍ୟା ହୋଇଛି କି ନାହିଁ ତାହାର ତଦନ୍ତ ମଧ୍ୟ ସିବିଆଇ କରୁଛି।
ବାବା ବୀରେନ୍ଦ୍ର ଆଶ୍ରମରେ ଯୁବତୀଙ୍କୁ କେବଳ ଦୁଷ୍କର୍ମ କରି ଯୌନ ପିପାସା ମେଣ୍ଟାଉନଥିଲେ, ନିଜର ବିଭିନ୍ନ ଆଶ୍ରମରୁ ଯୁବତୀଙ୍କୁୁ ଦେଶର କୋଣ ଅନୁକୋଣକୁ ପଠାଇ ଏକ ବଡ଼ ଧରଣର ସେକ୍ସ ର‍୍ୟାକେଟ ଚଳାଇଥିଲେ। ଏଥିରେ ସେ ବିପୁଳ ଅର୍ଥ ରୋଜଗାର କରୁଥିଲେ। କେତେକ ଉଦ୍ଧାର ଯୁବତୀଙ୍କୁ ପୁଲିସ୍‌ ସେମାନଙ୍କ ଘରକୁ ପଠାଇବାକୁ ଉଦ୍ୟମ କରୁଥିବା ବେଳେ ଅନେକ ନିଜ ଘରକୁ ଯିବା ପାଇଁ ରୋକ୍‌ ଠୋକ୍‌ ମନା କରିଦେଇଛନ୍ତି। ସେମାନଙ୍କୁ ପୁଣିଥରେ ଆଶ୍ରମ ନେଇଯାଇ ବାବାଙ୍କ ପାଖରେ ଛାଡ଼ିବା ପାଇଁ ସେମାନେ ଜିଦ୍‌ ଧରି ବସିଛନ୍ତି। ସେମାନେ କହିଛନ୍ତି ଯେ,ବାବା ହି ଈଶ୍ୱର ଏବଂ ବାବା ହିଁ ତାଙ୍କ ପାଇଁ ସବୁକିଛି । ଉକ୍ତ ଯୁବତୀମାନେ ଏବେ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଚିହ୍ନି ପାରୁନଥିବା ବିସ୍ମୟ ସୃଷ୍ଟି କରିଛି। ସର୍ବଦା ଆତଙ୍କିତ ଓ ନିର୍ଯାତିତ ଅବସ୍ଥାରେ ରହୁଥିବା ଏହି ମହିଳାମାନଙ୍କ ମଧ୍ୟରୁ ଅନେକଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର