ବାବ୍ରି ମସ୍‌ଜିଦ ଭଙ୍ଗା ବାର୍ଷିକୀ: ଅଯୋଧ୍ୟାରେ କଡ଼ା ସୁରକ୍ଷା

ଅହମଦାବାଦ୍‌: ବାବ୍ରି ମସ୍‌ଜିଦ ଭଙ୍ଗାଯିବା ଘଟଣାର ଆଜି ୨୫ ବର୍ଷ ପୂର୍ତ୍ତି ହୋଇଛି। ଏନେଇ ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶ ସହ ସମସ୍ତ ରାଜ୍ୟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିବାପରେ ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାର ସାମ୍ପ୍ରଦାୟିକ ହିଂସାକାଣ୍ଡ ଏଡ଼ାଇବା ଲାଗି ସହରର କୋଣ ଅନୁକୋଣରେ ପୁଲିସ କଡ଼ା ପହରା ଦେଉଛନ୍ତି। ସୁରକ୍ଷା କର୍ମୀଙ୍କ ସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଅଞ୍ଚଳରେ ତଲାସି ଜାରି ରହିଛି। ଦକ୍ଷିଣ ଜୋନ୍‌ ପୁଲିସ ସହ ସିଏପିଏଫ ଏବଂ ତେଲେଙ୍ଗାନା ଷ୍ଟେଟ୍‌ ସ୍ପେସାଲ ପୁଲିସର ମିଳିତ ଦଳ ଆଜି ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି। ଦକ୍ଷିଣ ଜୋନ୍‌ର ଅତିରିକ୍ତ ଡିସିପି, ୮ଜଣ ଏସିପି, ୩୦ ଇନ୍ସପେକ୍ଟର ଏବଂ ୭୫ ସବ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଥିଲେ। ମୋଗଲ ସାମ୍ରାଜ୍ୟର ଏହି ବାବ୍ରି ମସଜିଦ୍‌କୁ ୧୯୯୨ ଡିସେମ୍ବର ୬ରେ କର ସେବକମାନେ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଏହି କାରଣର ୁ ବଡ଼ ସାମ୍ପ୍ରଦାୟିକ ହିଂସା ଘଟି ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ।

ଭାରତୀୟ ମୁସଲିମଙ୍କୁ ଜିହାଦରେ ଯୋଗ ଦେବାକୁ ଅଲ କାଏଦାର ଆହ୍ଵାନ

ବାବ୍ରି ମସଜିଦ୍‌ ଧ୍ୱଂସର ୨୫ ବର୍ଷ ପୂର୍ତ୍ତିରେ କଶ୍ମୀରରେ ଅଲକାଏଦା ସହ ଜଡ଼ିତ ଏକ ଆତଙ୍କବାଦୀ ଗୋଷ୍ଠୀ ଆଜି ଭାରତୀୟ ମୁସଲିମ୍‌ଙ୍କୁ ଜିହାଦରେ ଯୋଗ ଦେବାଲାଗି ଆହ୍ଵାନ ଦେଇଛି। ଅନଲାଇନ୍‌ରେ ଜାରି ହୋଇଥିବା ଏହି ମେସେଜ୍‌ରେ କୁହାଯାଇଛି ଯେ ପ୍ରତ୍ୟେକ ଭାରତୀୟ ମୁସଲିମ ଜିହାଦ ପାଇଁ ନିଜ ଘର ଛାଡ଼ିବା ଦରକାର। କାରଣ ଶତ୍ରୁମାନେ ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ହିନ୍ଦୁମାନେ ମୁସଲିମଙ୍କୁ ସମୂଳେ ବିନାଶ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିରୁ କେହି ମଧ୍ୟ ବାଦ୍‌ ପଡ଼ିବେନି ବୋଲି ଉକ୍ତ ମେସେଜ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର