ବାବ୍ରି ମସଜିଦ ଧ୍ୱଂସ ବାର୍ଷିକୀ:ସତର୍କ ରହିବାକୁ ରାଜ୍ୟମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ଆସନ୍ତାକାଲି ୨୫ ବର୍ଷ ପୂର୍ତ୍ତି ହେଉଥିବାରୁ ସମସ୍ତ ରାଜ୍ୟ ଏ ଦିଗରେ ସତର୍କ ରହିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶାନ୍ତି ବଜାୟ ରଖିବାକୁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକମାନଙ୍କୁ କୁହାଯାଇଛି । ଉତ୍ତର ପ୍ରଦେଶ ସରକାର ଏ ଦିଗରେ ସର୍ବାଧିକ ସତର୍କ ରହି କାର୍ଯ୍ୟ କରିବା ସହ ସମସ୍ତ ସ୍ପର୍ଶକାତର ଅଂଚଳରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ କୁହାଯାଇଛି । ବିଜେପି, ଭିଏଚ୍‌ପି ଓ ଶିବସେନା ସମର୍ଥନରେ ୧୯୯୨ ଡିସେମ୍ବର ୬ରେ କରସେବକମାନେ ବାବ୍ରି ମସଜିଦକୁ ଭାଙ୍ଗି ଧୂଳିସାତ କରିଥିଲେ। ଏହି କାରଣରୁ ବଡ଼ ସାଂପ୍ରଦାୟିକ ଦଙ୍ଗା ଘଟି ୨ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ ପ୍ରତ୍ୟେକ ବର୍ଷ ବାବ୍ରି ମସ୍‌ଜିଦ ଧ୍ୱଂସ ବାର୍ଷିକୀ ସମୟରେ ସୁରକ୍ଷା କଡ଼ାକଡ଼ି କରାଯାଉଛି । ୨୦୦୮ରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏଥିପାଇଁ ପ୍ରସ୍ତୁତ କରିଥିବା ସତର୍କତା ନିର୍ଦ୍ଦେଶନାମାକୁ ପ୍ରତିବର୍ଷ ଡିସେମ୍ବର ୬ ପାଇଁ ଲାଗୁ କରାଯାଉଛି । ଅଯୋଧ୍ୟାରେ ରାମ ମନ୍ଦିରକୁ ଭାଙ୍ଗି ସେଠାରେ ବାବ୍ରି ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଐତିହାସିକ ତଥ୍ୟକୁ ଆଧାର କରି ହିନ୍ଦୁ ଗୋଷ୍ଠୀ ପକ୍ଷରୁ କମିଟି ଗଠନ କରାଯାଇଥିଲା। ମନ୍ଦିର ନିର୍ମାଣ ସପକ୍ଷରେ ଜନମତ ପ୍ରବଳ ହୋଇ ଏକ ଆନ୍ଦୋଳନରେ ପରିଣତ ହୋଇଥିଲା। ବିଜେପି ନେତା ଲାଲକୃଷ୍ଣ ଆଡଭାନି ଏହାର ନେତୃତ୍ୱ ନେଇଥିଲେ।

 

ମସଜିଦ

 

ସମ୍ବନ୍ଧିତ ଖବର