ଘରକୁ ବାହୁଡିବେ ଜଗାବଳିଆ: ଦିଲ୍ଲୀ ଏମ୍ସରେ ଡିସ୍‌ଚାର୍ଜ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ଘରକୁ ବାହୁଡିବେ ଜଗାବଳିଆ। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ମିଲିଗୁଡ଼ା ଗାଁର ଜଗା-ବଳିଆଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଦିଲ୍ଲୀ ଏମ୍ସରେ ଓଡ଼ିଶାର ୫ଜଣ ବିଶେଷଜ୍ଞ ଡାକ୍ତର ପହଞ୍ଚିଛନ୍ତି। ଡିସ୍‌ଚାର୍ଜ ପରେ ଜଗାବଳିଆଙ୍କୁ କେଉଁଠି ରଖାଯିବ ଓ କିଭଳି ତାଙ୍କର ଚିକିତ୍ସା କରାଯିବ ତାହା  ଅନୁଧ୍ୟାନ କରି ଏହି ଡାକ୍ତରୀ ଦଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ।

ଉଲ୍ଲେଖଯୋଗ୍ୟ, ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅସ୍ତ୍ରୋପଚାର କରି ଅଲଗା କରାଯିବା ପରେ  ଦୁଇ ଶିଶୁଙ୍କ ପରବର୍ତ୍ତୀ ଚିକିତ୍ସା ଓଡ଼ିଶାରେ ସମ୍ଭବପର ବୋଲି ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ନେଇଥିବା ଏମ୍‌ସର ନ୍ୟୁରୋ ଚିକିତ୍ସା ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି। ଯୋଡ଼ା ମୁଣ୍ଡ ଅଲଗା କରାଯିବାର ୪ ମାସ ପରେ ଜଗାର ସ୍ୱାସ୍ଥ୍ୟ ୯୮ପ୍ରତିଶତ ଠିକ୍‌ ହୋଇସାରିଥିବାରୁ ଜଗାକୁ ଏମ୍‌ସରୁ ଡିସ୍‌ଚାର୍ଜ କରାଯାଇ ନିଜ ଗାଁକୁ ଫେରିଯିବାରେ କୌଣସି ଅସୁବିଧା ହେବନାହିଁ। ଅନ୍ୟପକ୍ଷରେ ବଳିଆର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି ହେବା ପାଇଁ ଆଉ ଦୁଇମାସ ଲାଗିବା ସମ୍ଭାବନା ଥିବାରୁ ବଳିଆକୁ ଏମ୍‌ସରୁ ଡିସ୍‌ଚାର୍ଜ କରାଯାଉଛି । ଉଭୟ ଶିଶୁଙ୍କୁ ବର୍ତ୍ତମାନ ସ୍ଥିତିରେ ଅଧିକ ସେବାଯତ୍ନର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର