ତେଜସ୍‌ ଏକ୍ସପ୍ରେସରେ ଖରାପ ଖାଦ୍ୟ: ୩୦ ଅସୁସ୍ଥ, ୩ ଆଇସିୟୁରେ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ସଙ୍କଟ ରେଳ ବିଭାଗକୁ ଚିନ୍ତାରେ ପକାଇ ଦେଇଛି। ମୁମ୍ବାଇ-କରମାଲି ମଧ୍ୟରେ ୨୪ ମେ ୨୦୧୭ରୁ ଆରମ୍ଭ ହୋଇଥିବା ତେଜସ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଖରାପ ଖାଦ୍ୟ ପରିବେଷଣ ମାମଲା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଆଜି ଏହି ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆଯାଇଥିବା ସକାଳ ଜଳଖିଆ ଖାଇ ୩୦ ଜଣ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଖରାପ ଖାଦ୍ୟ ଯୋଗୁଁ ଫୁଡ୍‌ ପଏଜନିଂ ଅଭିଯୋଗ ମିଳିବା ପରେ ରେଳବାଇ ତୁରନ୍ତ ପଦକ୍ଷେପ ନେଇ ଅସୁସ୍ଥଙ୍କ ମଧ୍ୟରୁ ୨୪ ଜଣଙ୍କୁ ଚିପଲୁନ ଲାଇଫ୍‌ କେୟାର ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ୩ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି । ଏହି ଟ୍ରେନ୍‌ରେ ଆଇଆର୍‌ସିଟିସି କ୍ୟାଟରିଂ ସେବା ଯୋଗାଉଛି। ଆଇଆର୍‌ସିଟିସି ପ୍ରବକ୍ତା କହିଛନ୍ତି ଯେ ଆମର ଗୋଆରେ କୌଣସି ବେସ୍‌ କିଚେନ୍‌ ନଥିବାରୁ ଖାଦ୍ୟ ବାହାରୁ ଅଣାଯାଇଥିଲା। ଯାତ୍ରୀମାନଙ୍କୁ ସକାଳ ଜଳଖିଆରେ ଉପମା, ଅମଲେଟ, ସାଣ୍ଡଓ୍ଵିଚ୍‌ ଏବଂ ଜୁସ୍‌ ଦିଆଯାଇଥିଲା। ୯୯୨ ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଏହି ଟ୍ରେନ୍‌ରେ ୨୯୨ ଜଣ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ୨୨୦ ଜଣ ସକାଳ ଜଳଖିଆ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର