ବାଜ୍‌ଓ୍ଵା-ସିଦ୍ଧୁ ଆଲିଙ୍ଗନ ନେଇ ବିବାଦ ତେଜୁଛି:ବିଜେପି ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ କମର୍‌ ଜାଭେଦ୍‌ ବାଜ୍‌ଓ୍ଵାଙ୍କୁ ପୂର୍ବ କ୍ରିକେଟର୍‌ ତଥା କଂଗ୍ରେସ ନେତା ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କ ଆଲିଙ୍ଗନ ପ୍ରସଙ୍ଗକୁ ନେଇ ରାଜନୀତି ଏବେ ସରଗରମ ହୋଇଛି। ବିଜେପି ଏହାକୁ କଡ଼ା ନିନ୍ଦା କରିବା ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଏ ପ୍ରସଙ୍ଗରେ ଜବାବ ଲୋଡ଼ିଛି। ପାକ୍‌ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରି କୌଣସି ଭୁଲ କରିନଥିବା ସିଦ୍ଧୁ ବାରମ୍ବାର କହୁଥିବାରୁ ବିଜେପି ଏହାକୁ ସହଜେ ହଜମ କରିପାରି ନାହିଁ।
ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର ଆଜି ଏ ପ୍ରସଙ୍ଗରେ ଉଭୟ ସିଦ୍ଧୁ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସିଦ୍ଧୁ ପାକିସ୍ତାନ ସେନା ମୁଖ୍ୟ ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କ’ଣ ପାଇଁ କଲେ ତାହା ନକହି ବାରମ୍ବାର ଶାନ୍ତି ପ୍ରସଙ୍ଗରେ ଭାଷଣବାଜି କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ତେବେ ଏ ପ୍ରସଙ୍ଗରେ ରାହୁଲ ଜବାବ ଦେବାକୁ ସେ କହିଛନ୍ତି। ପାତ୍ର କହିଛନ୍ତି, କଂଗ୍ରେସ ଏଭଳି ଭାବେ ଦେଶରେ ସମାନ୍ତରାଳ ସରକାର ଚଳାଇ ପାରିବ ନାହିଁ। କଂଗ୍ରେସ ପାଇଁ ପାକ୍‌ ସେନା ମୁଖ୍ୟ ଏବେ ‘ସୁନାମୁଣ୍ଡା’ ଏବଂ ଆମ ସେନା ମୁଖ୍ୟ ‘ଗଳିର ଗୁଣ୍ଡା’ ଭଳି ଲାଗୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ମୁଖପାତ୍ର କହିଛନ୍ତି ଯେ କେବଳ ସିଦ୍ଧୁ ନୁହନ୍ତି, କଂଗ୍ରେସ ମଧ୍ୟ ବାରମ୍ବାର ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଉଛି। ଏବେ ଏଭଳି ଲାଗୁଛି କଂଗ୍ରେସ ଯେମିତି ଭାରତରେ ପାକିସ୍ତାନର ଏକ ଶାଖା ଖୋଲିଛି। ସିଦ୍ଧୁ ବାରମ୍ବାର ନିଜ ପାକ୍‌ ଗସ୍ତକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିବା ସହିତ ପାକ୍‌ ସେନା ମୁଖ୍ୟଙ୍କ ମହନୀୟତା କଥା ବଖାଣୁଛନ୍ତି। ପ୍ରକାରାନ୍ତରେ ସେ କହିବାକୁ ଚାହୁଛନ୍ତି ଯେ ଭାରତର ୧୨୫ କୋଟି ଲୋକଙ୍କ ‘ହୃଦୟ ବହୁତ ଛୋଟ’। କଂଗ୍ରେସର ଏଭଳି ଆଭିମୁଖ୍ୟ ମୋତେ ବ୍ୟଥିତ କରିଛି। ବିଜେପି ମୁଖପାତ୍ର ନୁହେଁ, ବରଂ ଜଣେ ସାଧାରଣ ଭାରତୀୟ ଭାବେ ମୁଁ ଏହି ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ମର୍ମାହତ ବୋଲି ପାତ୍ର କହିଛନ୍ତି।
ସିଦ୍ଧୁଙ୍କ ସପକ୍ଷରେ ଇମ୍ରାନ୍‌ଙ୍କ ଯୁକ୍ତି
ଇସ୍‌ଲାମାବାଦ: ପାକ୍‌ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରି ତୀବ୍ର ସମାଲୋଚନାର ଶିକାର ହେଉଥିବା କଂଗ୍ରେସ ନେତା ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କୁ ପ୍ରଶଂସାରେ ପୋତିଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ କହିଛନ୍ତି, ମୋ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବାରୁ ମୁଁ ସିଦ୍ଧୁଙ୍କୁ ଧନ୍ୟବାଦ ଜଣାଉଛି। ସେ ଜଣେ ଶାନ୍ତିର ଦୂତ ସାଜି ଆସିଥିଲେ। ସେ ମୋର ଜଣେ ପୁରୁଣା ବନ୍ଧୁ। ଏମିତି କି ପାକିସ୍ତାନରେ ସେ ଯେଉଁ ଶାନ୍ତିର ବାର୍ତା ଦେଲେ ତାହାକୁ ନେଇ ଦେଶର ନାଗରିକମାନେ ମଧ୍ୟ ତାଙ୍କୁ ଆଦର କରୁଛନ୍ତି। ଭାରତରେ ଯେଉଁମାନେ ତାଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଫେରାଇ ଆଣିବା ବିପକ୍ଷରେ ଅଛନ୍ତି। ଟ୍ଵିଟ୍‌ କରି ଇମ୍ରାନ୍‌ କହିଛନ୍ତି, ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଭୟ ରାଷ୍ଟ୍ର ଖୁବ୍‌ଶୀଘ୍ର କଥାବାର୍ତା ଆରମ୍ଭ କରିବା ଆବଶ୍ୟକ। କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି, ତାହାର ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯିବା ଦରକାର।
ଆଲିଙ୍ଗନ ଏକ ଆବେଗିକ ପ୍ରତିକ୍ରିୟା ଥିଲା: ସିଦ୍ଧୁ
ନୂଆଦିଲ୍ଲୀ: ପଂଜାବ ମନ୍ତ୍ରୀ ତଥା କଂଗ୍ରେସ ନେତା ନବ୍‌ଜୋତ୍‌ ସିଂହ ସିଦ୍ଧୁ ଆଜି ପୁଣି ନିଜ ଆଲିଙ୍ଗନକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ପାକ୍‌ ସେନା ମୁଖ୍ୟ କମର ଜାଭେଦ୍‌ ବାଜ୍‌ଓ୍ଵାଙ୍କ ସହ ଆଲିଙ୍ଗନ କରିବା ଏକ ଆବେଗିକ ପ୍ରତିକ୍ରିୟା ଥିଲା ବୋଲି ସେ କହିଛନ୍ତି। ସିଦ୍ଧୁ ଆହୁରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ପାକିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ଦିଲ୍ଲୀ-ଲାହୋର ବସ୍‌ ସେବା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିନା ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର