ଆଜି ଅପରେସନ୍‌କୁ ବର୍ଷେ ପୂରିବ : ୧୦ ଦିନ ହେଲା ବଳିଆକୁ ଜ୍ୱର

ନୂଆଦିଲ୍ଲୀ : ଆସନ୍ତାକାଲି ଦିଲ୍ଲୀ ଏମ୍ସରେ ଜଗାବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍‌କୁ ବର୍ଷେ ପୂରିବ। ବର୍ଷକ ମଧ୍ୟରେ ଦୁହିଁଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଦୁହିଁଙ୍କ ଡିସ୍‌ଚାର୍ଜକୁ ନେଇ ବାପାମା’ ଦୋ’ଛକିରେ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ଦିନ ହେବ ବଳିଆକୁ ଜ୍ୱର ହୋଇଥିବା ଜଣାପଡ଼ିଛି।

ଗତବର୍ଷ ଅଗଷ୍ଟ ୨୮ ତାରିଖରେ ଦୁହିଁଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରିବା ପାଇଁ ପ୍ରଥମପର୍ଯ୍ୟାୟ ଅପରେସନ୍‌ ହୋଇଥିଲା। ଜାପାନ୍‌ର ବିଶେଷଜ୍ଞଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଦଳ ୨୪ ଘଣ୍ଟାର ମାରାଥନ୍‌ ଅସ୍ତ୍ରୋପଚାର କରିଥିଲେ। ଦୁହିଁଙ୍କ ମସ୍ତିଷ୍କରେ କୃତ୍ରିମ ଶିରା ପ୍ରଶିରା ପ୍ରତିରୋପଣ କରାଯାଇଥିଲା, ଯାହାକି, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ କରାଯାଇ ଯୋଡ଼ାମୁଣ୍ଡ ଅଲଗା କରାଯାଇଥିଲା।

ଇତିମଧ୍ୟରେ ଜଗା ବଳିଆ ଦିଲ୍ଲୀ ଏମ୍ସରେ ୧୩ ମାସରୁ ଅଧିକ ଦିନ ହେବ ଚିକିତ୍ସାଧୀନ ଅଛନ୍ତି। ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ବେଳେ ବଳିଆର ସ୍ୱାସ୍ଥ୍ୟାବସ୍ଥା ଏବେ ବି ଚିନ୍ତାର କାରଣ ହୋଇଛି। ଗତ ଦଶ ଦିନ ହେବ ବଳିଆକୁ ଲଗାତାର ଜ୍ୱର ହେଉଛି। ଯୋଡ଼ାମୁଣ୍ଡ ଅଲଗା ହେବାପରେ ଅତ୍ୟନ୍ତ ଦୁର୍ବଳ ଥିବା ବଳିଆର ସ୍ୱାସ୍ଥ୍ୟରେ ଆଶାନୁରୂପ ଉନ୍ନତି ହୋଇ ପାରୁନଥିବାରୁ ବାପା ମା’ ଚିନ୍ତାରେ ଅଛନ୍ତି। ଏମ୍ସ କର୍ତ୍ତୃପକ୍ଷ ବଳିଆର ସ୍ୱାସ୍ଥ୍ୟ ଅନୁଧ୍ୟାନ କରିବାପରେ ଆଉ କିଛିଦିନ ବଳିଆକୁ ରଖିବାପାଇଁ ରାଜି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଦୁଇ ଶିଶୁଙ୍କ ଡିସ୍‌ଚାର୍ଜ ପ୍ରସଙ୍ଗରେ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣରୁ ଦୁଇଶିଶୁଙ୍କୁ ଆଉ କିଛି ଦିନ ରଖିବା ପାଇଁ ଓଡ଼ିଶା

ସରକାର ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏପର୍ଯ୍ୟନ୍ତ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ତେବେ, ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ମାନବିକତା ଦୃଷ୍ଟିକୋଣରୁ ତଥା ମାମଲାର ସମ୍ବେଦନଶୀଳତାକୁ ବିଚାର କରି ଏମ୍ସ କର୍ତ୍ତୃପକ୍ଷ ଡିସ୍‌ଚାର୍ଜ କରିବା ପାଇଁ ନେଇଥିବା କଠୋର ଆଭିମୁଖ୍ୟ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଜଗା ବଳିଆଙ୍କ ବାପା ମା’ ଦୁଇ ଶିଶୁଙ୍କୁ ଏମ୍ସରୁ ଡିସଚାର୍ଜ କରିବା ପ୍ରସଙ୍ଗରେ ଦୋ’ଛକିରେ ଅଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ସ୍ଥିତିକୁ ଆସିବାପାଇଁ ଜଗାବଳିଆଙ୍କୁ ଆହୁରି ସମୟ ଲାଗିବ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି। ଜଗା ଏବେ ବି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନି। ଆଗକୁ ଜଗାର ଆଉ ଏକ ଅସ୍ତ୍ରୋପଚାର ହେବ। ଅନ୍ୟପକ୍ଷେ ବଳିଆର ମସ୍ତିଷ୍କ ସ୍ଥିତି କେବଳ ୩୦ ପ୍ରତିଶତ ଭଲ ହୋଇପାରିବ। ଆଗକୁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଅନେକ ଆହ୍ଵାନ ଠିଆ ହୋଇପାରେ ବୋଲି ଡାକ୍ତରମାନେ କହୁଛନ୍ତି।

ସମ୍ବନ୍ଧିତ ଖବର