ବଳିଆ ବି ପିନ୍ଧିଲା ହେଲମେଟ

ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚକରି ଫେରିଲେ ୫ଜଣିଆ ଓଡ଼ିଆ ଡାକ୍ତରୀ ଦଳ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେଠାକାର ଡାକ୍ତରଙ୍କ ସହ ଆଲୋଚନା ପରେ ୫ ଜଣିଆ ଡାକ୍ତରୀ ଦଳ ଆଜି ଓଡ଼ିଶା ଫେରିଛନ୍ତି। ଆସନ୍ତାକାଲି ଏହି ଟିମ୍‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଆଧାରରେ କେବେ ଜଗା-ବଳିଆଙ୍କୁ ଡିସ୍‌ଚାର୍ଜ କରାଯିବ ସେନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଯଦି ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ କରାଯାଏ ତେବେ କେଉଁଠାରେ ସେମାନଙ୍କର ଚିକିତ୍ସା ଜରି ରହିବ ସେନେଇ ମଧ୍ୟ ମନ୍ତ୍ରୀ ନିଷ୍ପତ୍ତି ନେବେ। ଅପରପକ୍ଷେ, ଦୁଇଦିନ ତଳେ ଜଗାକୁ ସ୍ୱତନ୍ତ୍ର ହେଲମେଟ୍‌ ପିନ୍ଧାଯାଇଥିବା ବେଳେ ଆଜି ବଳିଆକୁ ମଧ୍ୟ ସ୍ୱତନ୍ତ୍ର ହେଲମେଟ୍‌ ପିନ୍ଧାଯାଇଛି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଦୁଇ ଶିଶୁଙ୍କ ହେଲମେଟ ପିନ୍ଧା ଫଟୋ ମଧ୍ୟ ଗଣମାଧ୍ୟମରେ ଛାଡ଼ିିଛନ୍ତି।

ଦୁଇ ଶିଶୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଏହି ଟିମ୍‌ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ତେବେ ବଳିଆ ଓଡ଼ିଶା ଫେରିବା ପରେ କେଉଁ ଭଳି ଭାବେ ଚିକିତ୍ସା କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ଚିକିତ୍ସାରେ ତାଙ୍କ ବାପା-ମା’ ଅତ୍ୟନ୍ତ ସନ୍ତୁଷ୍ଟ ଥିବା ବେଳେ ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ସେମାନେ ଓଡ଼ିଶା ଫେରିବାକୁ ଚାହୁନଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ଦିଲ୍ଲୀ ଯାଇଥିବା ୫ଜଣିଆ ଡାକ୍ତରୀ ଦଳରେ କଟକ ଏସ୍‌ସିବି ମେଡିକାଲର ନ୍ୟୁରୋସର୍ଜରୀ ବିଭାଗ ପ୍ରଫେସର ଡା.ସଞ୍ଜୀବ ମିଶ୍ର, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ପ୍ରଫେସର ଡା. ଅନ୍ନଦା ପଟ୍ଟନାୟକ, ସର୍ଜରୀ ପ୍ରଫେସର ଡା. କୈଳାସ ମହାପାତ୍ର, ଶିଶୁରୋଗ ବିଶେଷଜ୍ଞ ସରୋଜ ଶତପଥୀ ଏବଂ ଭୁବନେଶ୍ୱର ଏମ୍ସ ଭେଷଜ ବିଭାଗର ଜଣେ ଡାକ୍ତର ସାମିଲ ଥିଲେ।

ସମ୍ବନ୍ଧିତ ଖବର