ମାସେ ପୂରିଲା, ବଳିଆ ଚେତା ଫେରିନି

ନୂଆଦିଲ୍ଲୀ : ଏମ୍‌ସରେ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ଆଜି ମାସେ ପୂରଣ ହୋଇଛି। ଇତିମଧ୍ୟରେ ଜଗା ଧୀରେ ଧୀରେ ସୁସ୍ଥ ହେଉଛି। ହେଲେ ବଳିଆର ଚେତା ସଂପୂର୍ଣ୍ଣ ଫେରିନି। ପ୍ରାଇଭେଟ୍‌ ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ବଳିଆ ଏବେ ବି ଭେଣ୍ଟିଲେଟରରେ ଅଛି। ତା’କୁ କ୍ରିଟିକାଲ କେୟାର ସ୍ପେସାଲିଷ୍ଟ୍‍ ଦଳ ଲଗାତାର ନିରୀକ୍ଷଣରେ ରଖିଛନ୍ତି। ତେବେ ବଳିଆର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତଥା ହୃତପିଣ୍ଡ, କିିଡ୍‌ନି ଓ ଲିଭର ଠିକ୍‌ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତା’କୁ ବାରମ୍ବାର ବାତ ମାରିବା ସମସ୍ୟାରେ ମଧ୍ୟ ସାମାନ୍ୟ ଉନ୍ନତି ଆସିଥିବା ଜଣାପଡ଼ିଛି। ସମସ୍ତ ମସ୍ତିଷ୍କ କୋଷ ରିଫ୍ଲେକ୍ସ ଠିକ୍‌ ଥିବା ଯୋଗୁଁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ନିଶ୍ଚିତ ସୁଧାର ଆସିବ ବୋଲି ଡାକ୍ତରୀଦଳ ଆଶାବାଦୀ ଅଛନ୍ତି।

ଏକ ସୂତ୍ର ଅନୁଯାୟୀ ବଳିଆ ଏହି ମାସକ ମଧ୍ୟରେ ୫ରୁ ୬ ଥର ଗୋଡ଼ ହାତ ହଲେଇଥିଲା ଏବଂ ମଝିରେ ଟିକିଏ ଆଖି ଖୋଲିଥିଲା। କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଖି ନଖୋଲିଛି, ସେ ପର୍ଯ୍ୟନ୍ତ ସେ ଆଖି ଖୋଲିଛି ବୋଲି କହିହେବନି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଯେଉଁ ପ୍ଲାଷ୍ଟିକ୍‌ ସର୍ଜରି କରାଯାଇଥିଲା ସେଥିରେ ମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଢଙ୍କାଯାଇନଥିବାରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଉଛି। ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ସ୍ୱାଭାବିକ ଭାବେ ଜଗା ଖିଆ ପିଆ କରୁଛି, ଖେଳୁଛି ତଥା ମା’ ଓ ବାପାଙ୍କ ସହିତ ଅଧିକାଂଶ ସମୟ ବିତାଉଛି।

ସମ୍ବନ୍ଧିତ ଖବର