ସେପ୍ଟେମ୍ବର ୨୯ରୁ ବୈଷ୍ଣୋଦେବୀଙ୍କ ତୀର୍ଥସ୍ଥଳୀକୁ ଗଡିପାରେ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳୀ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆଗ୍ରହୀ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଖୁସି ଖବର ଆଣିପାରନ୍ତି | ଚର୍ଚ୍ଚା ହେଉଛି ଦିଲ୍ଲୀ ବାରଣାସୀ ରୁଟ ପରେ ଏଣିକି ଦିଲ୍ଲୀ -କଟରା ମଧ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇପାରେ | ମିଳିଥିବା ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ୨୯ ରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇପାରେ |

ଦିଲ୍ଲୀ -କଟରା ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ତିନିଦିନ ଚାଲିବାକୁ ଥିବାବେଳେ ବର୍ତ୍ତମାନ ୧୨ ଘଣ୍ଟା ସମୟ ଲାଗୁଛି | କିନ୍ତୁ ଏହି ଟ୍ରେନ ୮ ଘଣ୍ଟାରେ ଦୂରତା ଅତିକ୍ରମ କରିବ ବୋଲି ଜଣାପଡିଛି |

ଯାହାଫଳରେ ତୀର୍ଥଯାତ୍ରୀଙ୍କ ୪ ଘଣ୍ଟା ସମୟ ସଂଚୟ ହେବ ବୋଲି ଜଣାପଡିଛି | ଏଠାରେ ସୂଚନା ଥାଉ କି ଦିଲ୍ଲୀ -କଟରା ରୁଟ ଦେଶର ଏକ ବ୍ୟସ୍ତ ରେଲୱେ ରୁଟ ହୋଇଥିବାବେଳେ ଦିଲ୍ଲୀରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି | ପୂର୍ବରୁ ଏହି ଟ୍ରେନ ଅଗଷ୍ଟ ମାସରେ ଚଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା | କିନ୍ତୁ ଜମ୍ମୁକାଶ୍ମୀରରେ ଧାରା ୩୭୦ ଉଛେଦ ପାଇଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା |

ସମ୍ବନ୍ଧିତ ଖବର