ସାଇ ବାବାଙ୍କ ଜନ୍ମସ୍ଥାନ ବୟାନ ନେଇ ଅଡ଼ୁଆରେ ଉଦ୍ଧବ : ଶିରିଡ଼ିରେ ବନ୍ଦ ପାଳନ, ବିବାଦ ନେଇ ବୈଠକ ଆଜି

ସିରିଡ଼ି : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନକୁ ଶିରିଡ଼ିରେ ଜୋର୍‌ଦାର ବିରୋଧ କରାଯାଇଛି। ଆଜି ସିରିଡ଼ି ବଜାର ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ କରୁନଥିଲା। ପଥରି ସହରକୁ ମୁଖ୍ୟମନ୍ତ୍ରୀ ଠାକ୍‌ରେ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଇ ସେଠାରେ ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ପ୍ୟାକେଜ୍‌ ଘୋଷଣା କରିବା ପରେ ଶିରିଡ଼ିବାସୀ ଏହାର ପ୍ରବଳ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶିରିଡ଼ିର ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି। ବିବାଦୀୟ ବୟାନକୁ ନେଇ ଉଦ୍ଧବଙ୍କ ସମସ୍ୟା ବଢ଼ୁଥିବା ବେଳେ ଏହି ମାମଲାରେ ସମାଧାନର ରାସ୍ତା ଖୋଜିବାକୁ ଆଜି ସରକାର ତତ୍ପରତା ଦେଖାଇଛନ୍ତି। ଏହି ବିବାଦର ସମାଧାନ ପାଇଁ ଆସନ୍ତାକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ଆଜିଶିରିଡ଼ି ବନ୍ଦକୁ ସମସ୍ତ ବାସିନ୍ଦା ସ୍ପତଃସ୍ଫୁର୍ତ୍ତ ସମର୍ଥନ ଦେଇଛନ୍ତି ଏବଂ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ତେବେ ସାଇ ମନ୍ଦିର ଖୋଲା ରହିବା ସହ ଦର୍ଶନ ପାଇଁ ଅନୁମତି ଥିଲା ଏବଂ ‘ପ୍ରସାଦାଳୟ’ ମଧ୍ୟ ଖୋଲା ଥିଲା ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ଏବେ ଦଳ ମଧ୍ୟରେ ବି ବିରୋଧ କରାଯାଉଛି । ଶିବସେନା ସାଂସଦ ସଦାଶିବ ଲୋଖଣ୍ଡେ କହିଛନ୍ତି ଯେ ଶିରିଡ଼ିବାସୀଙ୍କ ଆନ୍ଦୋଳନକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ଜନ୍ମସ୍ଥାନକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଆଜି ସାଇ ଭକ୍ତମାନେ ବିଭିନ୍ନ ସ୍ଥାନରେ ରୢାଲି ଆୟୋଜନ କରି ଉଦ୍ଧବଙ୍କ ବୟାନକୁ ବିରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ଉଦ୍ଧବଙ୍କ ବୟାନକୁ ନେଇ ବିରୋଧ ତେଜୁଥିବାରୁ ଆସନ୍ତାକାଲି ସେ ତାଙ୍କ ବୟାନ ପ୍ରତ୍ୟାହାର କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର