ବେଙ୍ଗାଲୁରୁରେ କୋଠା ଭୁଶୁଡ଼ି ୪ ମୃତ, ଭଗ୍ନସ୍ତୁପ ତଳେ ୧୫ ଶ୍ରମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡ଼ି ପଡ଼ିବାଫଳରେ ଅତି କମ୍‌ରେ ୪ ଜଣ ଶ୍ରମିକଙ୍କ ପ୍ରାଣହାନୀ ହୋଇଛି। ଭଗ୍ନ ଇଟାପଥର ତଳେ ଅନେକ ଶ୍ରମିକ ଫଶି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର କସୁଭାନ୍‌ହଲ୍ଲି ଅଞ୍ଚଳରେ ସର୍ଜପୁର ରୋଡ୍‌ରେ ଆଜି ଅପରାହ୍ନରେ ଉକ୍ତ ଦୁର୍ଘଟଣାଟି ଘଟିଛି। ଖବର ଅନୁଯାୟୀ ଭଗ୍ନ କୋଠାତଳେ ପାଖାପାଖି ୧୫ ଶ୍ରମିକ ଫଶି ରହିଛନ୍ତି। ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଉଦ୍ଧାରକାରୀ ଦଳ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏଯାବତ୍‌ ୮ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି। ମେୟର ସମ୍ପଥ୍‌ ରୟଙ୍କ କହିବା ଅନୁଯାୟୀ ଉକ୍ତ କୋଠାର ମାଲିକଙ୍କୁ ୩ ମହଲା ବିଶିଷ୍ଟ କୋଠାର ନିର୍ମାଣ ପାଇଁ ମଞ୍ଜୁରି ମିଳିଥିବାବେଳେ ସେ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ କରିଛନ୍ତି। ତେବେ ଗତ ୬ ବର୍ଷ ଧରି ଉକ୍ତ କୋଠାଟି ନିର୍ମାଣାଧିନ ଥିବା କୁହାଯାଉଥିଲେ ମଧ୍ୟ ଗତ ଦୁଇବର୍ଷ ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇନଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ କେରଳର ଜଣେ ବ୍ୟକ୍ତି ଅହମଦ୍‌ ଉକ୍ତ କୋଠାର ମାଲିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର