ଢାକା: ଦିବଂଗତ ସ୍ୱାମୀଙ୍କ ନାମରେ ନାମିତ ଏକ ଦାତବ୍ୟ ପାଣ୍ଠିରେ ସମ୍ପୃକ୍ତ ଥିବା କାରଣରୁ ବାଂଲାଦେଶର ରାଜଧାନୀରେ ଏକ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ଭାବେ କ୍ଷମତାର ଦୁରୁପଯୋଗ କରି ସେ ଜିଆ ଚାରିଟେବଲ୍ ଷ୍ଟ୍ରଷ୍ଟ୍ ଫଣ୍ଡ୍ ନିମନ୍ତେ ଅଜ୍ଞାତ ସୂତ୍ରରୁ ୩୭୫ ହଜାର ଡଲାର୍ ଆଦାୟ କରିଥିବା କାରଣରୁ ଢାକାର ଏକ ଅଦାଲତର ବିଚାରପତି ମହମ୍ମଦ ଅଖ୍ତାରୁଜାମନ୍ ସୋମବାର ଦିନ ଦୋଷୀ ବୋଲି କହିଥିଲେ। ଅନ୍ୟ ଏକ ମାମଲାରେ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ ଭୋଗୁ ଥିବା ଜିଆ ସମ୍ପ୍ରତି ଚିକିତ୍ସାଧୀନା ଥିବାରୁ ଅଦାଲତରେ ଅନୁପସ୍ଥିତ ଥିଲେ।
ଅଜ୍ଞାତ ସୂତ୍ରରୁ ଟଙ୍କା ସଂଗ୍ରହ କରିଥିବା କାରଣରୁ ଅନ୍ୟ ତିନି ଜଣଙ୍କୁ ମଧ୍ୟ ବିଚାରପତି ସାତ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଫେବ୍ରୁଆରି ମାସରେ ଏକ ପୃଥକ୍ ଦାତବ୍ୟ ଦୁର୍ନୀତି ମାମଲାରେ ଜିଆଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।
ଜିଆଙ୍କ ଦଳ କହିଛି ଯେ ଉଭୟ ମାମଲାର ଅଭିଯୋଗ ରାଜନୈତିକ ଅଭିସନ୍ଧିମୂଳକ।