ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ସ୍ତ୍ରୀଙ୍କୁ ଦେଇ ବ୍ୟାଙ୍କ ହଟହଟା : ଗଣିବ ୧୦ ହଜାର ଟଙ୍କା ଜରିମାନା

ଅହମ୍ମଦାବାଦ : ସ୍ବାମୀଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍ ସ୍ତ୍ରୀଙ୍କୁ ଦେଇ ଏକ ବ୍ୟାଙ୍କ ହଟହଣା ହୋଇଛି। ଏଭଳି ଏକ ଘଟଣା ଗୁଜରାଟର ଅହମ୍ମଦାବାଦରେ ଘଟିଛି। ସ୍ବାମୀଙ୍କ ଅନୁମତି ନନେଇ ପତ୍ନୀଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଦେବାରୁ ଖାଉଟି ଅଦାଲତ ଉକ୍ତ ବ୍ୟାଙ୍କକୁ ଦଣ୍ଡିତ କରିଛନ୍ତି। ବ୍ୟାଙ୍କ ଏଥିପାଇଁ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ଗଣିବ। ଅହମ୍ମଦାବାଦ ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ ଗୁରୁବାର ଏଭଳି ନିର୍ଦ୍ଦେଶ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ(ଆଇଓବି)ର ସାରଦାନଗର-ହାନସୋଲ୍‌ ଶାଖାକୁ ଦେଇଛନ୍ତି। ଦୀନେଶ ପମନାନି ନାମକ ଜଣେ ବ୍ୟକ୍ତିଙ୍କର ଏହି ବ୍ୟାଙ୍କ ଶାଖାରେ ଆକାଉଣ୍ଟ ରହିଥିଲା। ବ୍ୟାଙ୍କ ତାଙ୍କ ସହିତ ପରାମର୍ଶ ନକରି ତାଙ୍କ ପତ୍ନୀଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ୍ ପ୍ରଦାନ କରିଥିବାରୁ ସେ ଏହା ବିରୋଧରେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।

ଶ୍ରୀ ପମନାନି ଖାଉଟି ଅଦାଲତରେ ଦର୍ଶାଇଥିଲେ ପତ୍ନୀଙ୍କ ସହିତ ତାଙ୍କର ବୈବାହିକ ବିବାଦ ଲାଗି ରହିଛି। ବ୍ୟାଙ୍କ ଷ୍ଟେଟମେଣ୍ଟକୁ ସେ ଏହି ମାମଲାରେ ତାଙ୍କ ଲାଭ ପାଇଁ ଦାଖଲ କରିବା ସୁଯୋଗ ପାଇଯିବେ। ସ୍ତ୍ରୀଙ୍କୁ ସେ ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ଜଣାଇବାକୁ ଚାହୁଁ ନଥିବାବେଳେ ବ୍ୟାଙ୍କର ଏହି ପଦକ୍ଷେପ ତାଙ୍କୁ ବ୍ୟଥିତ କରିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଗତବର୍ଷ ମେ ୬ ତାରିଖରେ ଶ୍ରୀ ପମନାନିଙ୍କ ଫୋନକୁ ଏକ ମେସେଜ୍ ଆସିଥିଲା। ସେଥିରେ ତାଙ୍କ ଆକାଉଣ୍ଟରୁ ୧୦୩ ଟଙ୍କା କଟିଥିବା ଲେଖାଯାଇଥିଲା। ଏ ସମ୍ପର୍କରେ ସେ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ତାଙ୍କ ପତ୍ନୀ ହର୍ଷିକା ବ୍ୟାଙ୍କ ଷ୍ଟେଟମେଣ୍ଟ ନେବା କାରଣରୁ ଏହି ଟଙ୍କା କଟିଛି। ବ୍ୟାଙ୍କର ଏହି ପଦକ୍ଷେପକୁ ସେ ବିରୋଧ କରିବା ସହିତ ବ୍ୟାଙ୍କକୁ ଖାଉଟି ଅଦାଲତକୁ ଟାଣିଥିଲେ।

ତେବେ ହର୍ଷିକା ତାଙ୍କ ସ୍ବାମୀଙ୍କ ପ୍ରତିନିଧି ବା ଏଜେଣ୍ଟ ଭାବେ ବ୍ୟାଙ୍କକୁ ଆସିଥିଲେ। ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ ତାଙ୍କୁ ଷ୍ଟେଟମେଣ୍ଟ ଯୋଗାଇ ଦିଆଯାଇଥିଲା। ‌କିନ୍ତୁ ବିଚାରପତି ଦର୍ଶାଇଥିଲେ ଯେ, ରିଜର୍ଭ ବ୍ୟାଙ୍କର ନିୟମାବଳୀ ଏବଂ ବ୍ୟାଙ୍କ ନିୟମ ଅନୁଯାୟୀ, ଆକାଉଣ୍ଟଧାରୀଙ୍କ ଅନୁମତି ନନେଇ ବ୍ୟାଙ୍କ ପକ୍ଷରୁ ତୃତୀୟ ପକ୍ଷକୁ ଷ୍ଟେଟମେଣ୍ଟ୍ ଦିଆଯିବା ଉଚିତ ନଥିଲା। ବ୍ୟାଙ୍କ ଷ୍ଟେଟମେଣ୍ଟ୍ ନେବା ଲାଗି ପତ୍ନୀଙ୍କୁ ସ୍ବାମୀ ଅନୁମତି ଦେଇ ନଥିଲେ। ଆକାଉଣ୍ଟଧାରୀଙ୍କ ଗୋପନୀୟତା ବ୍ୟାଙ୍କ ରକ୍ଷା କରିନାହିଁ। ସେବାରେ ଅଭାବ ଥିବା ଦର୍ଶାଇ ଅଦାଲତ ଶ୍ରୀ ପମ୍‌ନାନିଙ୍କୁ ୧୦ ହଜାର ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର