କ୍ଷତିରେ ଚାଲୁଥିବା ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ହେବ !

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ଶାଖାଗୁଡ଼ିକୁ ବନ୍ଦ କରିଦେବାକୁ ଅର୍ଥମନ୍ତ୍ରାଳୟ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି । ବ୍ୟାଙ୍କଗୁଡ଼ିକର ଆର୍ଥିକ ବୋଝ କମାଇବାକୁ ଏହି ପଦକ୍ଷେପ ନେବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ସୁତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ବ୍ୟାଙ୍କମାନଙ୍କର ଅନାଦେୟ ଋଣ ପରିମାଣ ବଢିଚାଲିଥିବାରୁ ସେମାନଙ୍କର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ଏଥିପାଇଁ ବ୍ୟାଙ୍କଗୁଡ଼ିକର କ୍ଷତି ଓ ବ୍ୟୟଭାର ହ୍ରାସ କରି ସେଗୁଡ଼ିକୁ ଅଧିକ ପ୍ରତିଯୋଗିତାକ୍ଷମ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ସେଥିଲାଗି କ୍ଷତିରେ ଚାଲୁଥିବା ଶାଖାଗୁଡିକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି । ଏଥିରେ ଉଭୟ ଘରୋଇ ଓ ବିଦେଶରେ ଥିବା ଶାଖା ଅନ୍ତର୍ଭୁକ୍ତ ।

rediff

ଇତି ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଏହି ଯୋଜନାରେ କାମ ଆରମ୍ଭ କରିଦେଲେଣି । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ମଧ୍ୟ ନିଜର ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟା ୫୯ରୁ ୪୯କୁ ହ୍ରାସ କରିଦେଇଛି । ଅନ୍ୟପକ୍ଷରେ ବିଦେଶରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକୁ ମିଶ୍ରଣ କରିବା କିମ୍ବା ଆବଶ୍ୟକ ପଡ଼ିଲେ ବନ୍ଦ କରିଦେବାକୁ ଯୋଜନା ଚାଲିଛି । ଅନ୍ୟ ଦେଶଗୁଡିକରେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଅଲଗା ଅଲଗା ଶାଖା ଖୋଲିବା ଅପେକ୍ଷା ସେଗୁଡିକୁ ମିଶାଇ ଗୋଟିଏ ଶାଖା ଖୋଲିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଯେଉଁ ବଜାରରେ ଭଲ ଲାଭ ମିଳୁଛି ସେଠାରେ ଶାଖା ଖୋଲିବାକୁ କୁହାଯାଇଛି । ଲାଭ ମିଳୁନଥିବା ଶାଖାଗୁଡିକୁ ବନ୍ଦ କରିବାକୁ କୁହାଯାଇଛି । ବିଶ୍ୱର ୩୬ଟି ଦେଶରେ ଷ୍ଟେଟ୍‌ ବ୍ୟାଙ୍କର ମୋଟ ୧୯୫ଟି ବିଦେଶୀ ଶାଖା ରହିଛି । ସେହିପରି ବ୍ୟାଙ୍କ ଅଫ ବରୋଦାର ୨୪ଟି ଦେଶରେ ୧୦୭ଟି ଶାଖା ରହିଛି ।

ସମ୍ବନ୍ଧିତ ଖବର